ଶାସଙ୍ଗ ପାଲା ମଞ୍ଚକୁ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ମରୈଗାଁ ଠାରେ ଅନୁଷ୍ଠିତ ଦୁଇଦିନିଆ ପାଲାକାର ସମ୍ମିଳନୀରେ ହାଟଡିହି ବ୍ଲକ ଶାସଙ୍ଗ ପାଲା ମଞ୍ଚକୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ଏକ ପୁରାତନ ପାଲା ଅନୁଷ୍ଠାନ ଭାବେ ପରିଗଣିତ ହୋଇଥିବାବେଳେ ୩୭ବର୍ଷ ଧରି ନିରବଛିନ୍ନ ଭାବେ ପାଲା ପରିବେଷଣ ହୋଇ ଆସୁଛି । ଓଡିଶାର ସୁନାମଧନ୍ୟ ଗାୟକ ମାନେ ଏହି ମଞ୍ଚରେ ପାଲା ପରିବେଷଣ କରିଆସୁଥିବାବେଳେ ଭରପୁର ଦର୍ଶକ ପାଲାକୁ ଉପଭୋଗ କରିଥାନ୍ତି । ପାଲା ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ଏହି ଅନୁଷ୍ଠାନକୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ରାଜ୍ୟ ସଭାପତି ତଥା ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ଗାୟକ ଯୁଦ୍ଧିଷ୍ଠିର ପରିଜା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧିରେନ କୁମାର ମହାନ୍ତି, ଆନନ୍ଦପୁର ଳେଖକ ସମବାୟ ସମିତିର ସମ୍ପାଦକ ରତ୍ନାକର ଦାସ, ବିଶ୍ୱତାରିଣୀ କଳାକାର ସଂଘର ବ୍ଲକ ସଭାପତି ଅଧିକାରୀ ନାୟକ ପ୍ରମୁଖ ଶାସଙ୍ଗ ପାଲା କମିଟିର ସଦସ୍ୟ ସଞ୍ଜିବ ସ୍ୱାଇଁ ଓ ଖଗେଶ୍ୱର ବାରିକଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପାଲା ଅନୁଷ୍ଠାନ ମାଧ୍ୟମରେ ଗାଁରେ ଏକତା ଓ ଭାତୃଭାବ ବଜାୟ ରୁହେ ବୋଲି ମତବ୍ୟକ୍ତ କରିଥିଲେ ।


