ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା : ଗିନି ମୃଦଙ୍ଗରେ କମ୍ପିଲା ଗାଆଁ ଦାଣ୍ଡ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବିଞ୍ଝଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ବିଶ୍ୱାଳ ଭଞ୍ଜନଗର ବ୍ଳକ୍ ବାଇବାଲି ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବା ପରେ ବିଞ୍ଝଗିରି ବିଦ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁର ସ୍ୱାଇଁ, ଉପାଧ୍ୟକ୍ଷା, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ, ସହକାରୀ ଶିକ୍ଷକ ଜଗନ୍ନାଥ ପାଇକ, ସାନସାଦରା ବିଦ୍ୟାଳୟର ସହକାରୀ ଶିକ୍ଷକ ଝାପଲ୍ ମାରାଣ୍ଡି, ଇନ୍ଧନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁର୍ଯ୍ୟୋଧନ ଦୋରା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ପୂର୍ବତନ ରୋଷେୟା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ, ଗୁରୁ ବନ୍ଦନା ଏବଂ ନୃତ୍ୟ ପରିବେଷଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ କାର୍ତ୍ତିକେୟ ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ଦାଶରଥୀ ସେଠୀ,ସୁକାନ୍ତ ବେହେରାଙ୍କ ସମେତ ପୂରାତନ ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ବିଦାୟୀ ଶିକ୍ଷକ ସୁଧାଂଶୁଙ୍କୁ ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ଗ୍ରାମ ପରିକ୍ରମା କରାଇଥିଲେ I ଗ୍ରାମ ପରିକ୍ରମା ସମୟରେ ଗ୍ରାମାବସୀ ମାନେ ମଧ୍ୟ ସୁଧାଂଶୁଙ୍କୁ ଭାବ ବିହ୍ୱଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ,ଛାତ୍ରଛାତ୍ରୀ, ଉପସ୍ଥିତ ଅତିଥି ଏବଂ ନିଜେ ବିଦାୟୀ ଶିକ୍ଷକ ଶ୍ରୀ ବିଶ୍ୱାଳ ଭାବ ବିହ୍ୱଳ ହୋଇପଡ଼ିଥିଲେ I


