ଶିକ୍ଷକଙ୍କୁ ମହଙ୍ଗା ପଡିଲା ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିବା
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ଆପ୍ତିରା ୟୁଜିଏମଇ ସ୍କୁଲର ଜନୈକ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ଅଭିଯୋଗରେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୁଦ୍ଧରେ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ କେସ ନଂ-୧୭୪/୧୯ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଦୀର୍ଘ ୧୪ ବର୍ଷ ଧରି ସଂପୃକ୍ତ ଶିକ୍ଷକ ଜଣକ ଭଣ୍ଡାରିପୋଖରୀ ବ୍ଲକ ଠାରୁ ଆରମ୍ଭ କରି ବନ୍ତ ବ୍ଲକରେ ଚାକିରୀ କରିଆସୁଥିଲେ । ଜନୈକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ପରେ ସଂପୃକ୍ତ ଶିକ୍ଷକ ସିଟି ପରୀକ୍ଷାରେ ଫେଲ୍ ହୋଇଥିବା ଜଣାପଡିଥିଲା । ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ସଂପୃକ୍ତ ଶିକ୍ଷକ ଜଣକ ବିଶ୍ୱନାଥ ସେଠୀ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାଣିବାକୁ ମିଳିଛି ।