ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଏବଂ ବିଭିନ୍ନ ଦାବି ସଂକ୍ରାନ୍ତରେ ଶିକ୍ଷକ ସଂଘ ପକ୍ଷରୁ ସ୍ମାରକ ପତ୍ର

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇଜଣ ଶିକ୍ଷକଙ୍କୁ ସହୀଦ୍ ଘୋଷଣା କରିବା ସହ ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଥଇଥାନା ବ୍ୟବସ୍ଥା ଏବଂ କୋଭିଡ୍‌-୧୯ ମୁକାବିଲା ସକାଶ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ନିଯୁକ୍ତ ଶିକ୍ଷକମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ସମେତ ୫ ଦଫା ଦାବି ସମ୍ବଳିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କୋଭିଡ୍‌-୧୯ ମହାମାରୀରର ନିୟନ୍ତ୍ରଣ ତଥା ମୁକାବିଲା ସକାଶେ ସେମାନଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରି ଆସୁଛନ୍ତି । ଅତ୍ୟନ୍ତ ଦୁଃଖର ବିଷୟ ଏହି କି ଯେ, କବିସୂର୍ଯ୍ୟନଗର ବ୍ଲକର ଶିକ୍ଷକ ସୀମାଞ୍ଚଳ ଶତପଥୀ ଏବଂ ଆସିକା ବ୍ଲକର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢୀଙ୍କ କରୋନା ଜନିତ ମୃତ୍ୟୁ ଖବର ଜିଲ୍ଲାର ସମସ୍ତ ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଛି । ଯଦିଓ ସରକାରୀ ସ୍ତରରରେ ଉଭୟଙ୍କ ମୃତ୍ୟୁକୁ କରୋନା ଜନିତ ବୋଲି ଅଦ୍ୟାବଧି ଘୋଷଣା କରାଯାଇନାହିଁ । ସୀମାଞ୍ଚଳ ପାଢୀଙ୍କ ମୃତ୍ୟୁପରେ ତାଙ୍କ ପିତାମାତା ମଧ୍ୟ ନିଜର ଏକମାତ୍ର ପୁତ୍ରକୁ ହରାଇ ଆତ୍ମହତ୍ୟା କରିବା ଭଳି ଦୁଃଖଦ ପଦକ୍ଷେପ ନେଇଥିବା ବେଳେ ସିଦ୍ଧାର୍ଥ ଶଙ୍କର ପାଢୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଶିକ୍ଷକମାନଙ୍କୁ ଏ ଯାବତ୍ କରୋନା ଯୋଦ୍ଧା ରୂପେ ରାଜ୍ୟ ସରକାର ଘୋଷଣା ନ କରିବା, ସେମାନଙ୍କୁ ରାଜ୍ୟ ସରକାର ଡାକ୍ତର ଓ ନର୍ସଙ୍କ ପରି ବୀମା ପରିସର ଭୁକ୍ତ ନ କରିବା । ରେଳଷ୍ଟେସନ ଓ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପଞ୍ଜୀକରଣ ଓ ଅନ୍ୟାନ୍ୟ ଦାୟିତ୍ୱ ପ୍ରଦାନ କରିବା ସମୟରେ ଆବଶ୍ୟକ ସୁରକ୍ଷା ଉପକରଣ(ପିପିଇ) ତଥା ଅନ୍ୟାନ୍ୟ ମୌଳିକ ସୁବିଧା ନ ଯୋଗାଇବା ଆଦି କାରଣ ସହ ବର୍ତ୍ତମାନ ଜିଲ୍ଲାର ଉପରୋକ୍ତ ଦୁଇ ଶିକ୍ଷକଙ୍କ ମୃତ୍ୟୁ ଜିଲ୍ଲାର ସମଗ୍ର ଶିକ୍ଷକ ସମାଜର ମନୋବଳ ଭାଙ୍ଗି ଦେଇଛି । ଦୁଇ ଶିକ୍ଷକଙ୍କ ମୃତ୍ୟୁପରେ ବର୍ତ୍ତମାନ ଗୋଟିଏ ଶିକ୍ଷକଙ୍କ ପିରାବର ସ୍ୱବର୍ସ ଶେଷ ହୋଇଯାଇଛି । ଅନ୍ୟ ଜଣେ ଶିକ୍ଷକଙ୍କ ପରିବାରର ପ୍ରତିପୋଷଣ ତଥା ଅସହାୟ ସନ୍ତାନ ସନ୍ତତିଙ୍କ ଶିକ୍ଷା ତଥା ଲାଳନ ପାଳନ ମଧ୍ୟ ଘୋର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ମୃତ ଶିକ୍ଷକମାନେ କୋରନା ମୁକାବିଲାରେ କାର୍ଯ୍ୟ କରି ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କୁ କରୋନା ଯୋଦ୍ଧା ତଥା ସହୀଦ୍ ଭାବେ ସରକାର ଘୋଷଣା କରନ୍ତୁ । ଯେପରି ସହୀଦ୍ ପରିବାରଙ୍କୁ ସରକାର ଥଇଥାନା କରନ୍ତି ସେହି ସମ୍ମାନସହ ମୃତକ ପରିବାରକୁ ମଧ୍ୟ ସରକାର ଥଇଥାନା କରନ୍ତୁ । ତେଣୁ ଏହି ପୃଷ୍ଠଭୂମିରେ ଆମ୍ଭେ ଆପଣଙ୍କ ନିକଟରେ ଉପରୋକ୍ତ ୫ ଦଫା ଦାବି ଉପସ୍ଥାପନ କରୁଅଛୁ । ତତ୍ ସହିତ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ କୋଭିଡ୍ କେୟାର ହୋମ୍ ସ୍ଥାପନ କରିବା ସକାଶେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଶିକ୍ଷକମାନଙ୍କୁ ନିଯୁକ୍ତି ପୂର୍ବରୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ସହ ନିଯୁକ୍ତି ପୂର୍ବରୁ ଓ ପରେ ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯିବା ବାଧ୍ୟତାମୂଳକ କରାଯାଉ । ଯେଉଁ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧାର ସମ୍ମାନ ରାଜ୍ୟ ସରକାର ଅନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ସେ ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କୋଭିଡ୍‌-୧୯ ନିୟନ୍ତ୍ରଣ ଦାୟିତ୍ୱରୁ ଅବ୍ୟାହିତ ପ୍ରଦାନ କରାଯାଉ । ରବିବାର ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ବ୍ରହ୍ମପୁର ମହାନଗର ଏଲିମେଣ୍ଟାରି ଶିକ୍ଷକ ସଂଘ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ଓଡିଶା ପ୍ରାଇମେରୀ ଶିକ୍ଷକ ସଂଘ, ଶେରଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ସାକ୍ଷତ କରି ଉପରୋକ୍ତ ଦାବି ବିଷୟରେ ଆଲୋଚନା କରିବା ସହ ଏଗୁଡିକୁ ତୁରନ୍ତ କାର୍ଯ୍ୟକାରୀ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ଶିକ୍ଷକ ସଂଘର ସଭାପତି ରାଜେଶ କୁମାର, ଆସିକା ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ସେଠୀ,ସାଧାରଣ ସଂପାଦକ ସିମାଞ୍ଚଳ ମିଶ୍ର, ସଂପାଦକ ସରୋଜ କୁମାର ନାୟକ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର କୁମାର ଗୌଡ, ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ-କ୍ୟାଡର) ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, ଛତ୍ରପୁର ଶିକ୍ଷକ ସଂଘର ସଭାପତି ଦିଲ୍ଲୀପ କୁମାର ପଲେଇ, ସୁରେଶ କୁମାର ମହାନ୍ତି, ପିତାମ୍ବର ବେହେରା, ଅବନୀ କୁମାର ପଟ୍ଟନାୟକ ପ୍ରମୁଖ ଶିକ୍ଷକ ନେତା ଉପସ୍ଥିତ ଥିଲେ । ଏହାସହ ଜିଲ୍ଲାଶିକ୍ଷା ଅଧିାକରୀ ଅମୂଲ୍ୟ କୁମାର ପ୍ରଧାନ ଓ ଡିପିସି ବିନିତା କୁମାରୀ ସେନାପତି ମଧ୍ୟ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଯେଉଁ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ସହ ଜିଲ୍ଲା ପ୍ରଶାସନ ଅଛି । କରୋନା ମୁକାବିଲାରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ