ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖିକରଣ କାର୍ଯ୍ୟକ୍ରମ ଉଦଘାଟିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଓଡିଶା ଉର୍ଦ୍ଦୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖି କରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ଉର୍ଦ୍ଦୁ ଏକାଡେମୀ ସଚୀବ ଡଃ.ସୟଦ ମୁସିର ଆଲମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉର୍ଦ୍ଦୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅଭିମୁଖି କରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଉର୍ଦ୍ଦୁ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରି ଆମ ଜିଲ୍ଲାର ବିଭିନ୍ନ ସ୍କୁଲମାନଙ୍କରେ ଉର୍ଦ୍ଦୁ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ହାଇଦ୍ରାବାଦ ର ଡଃ.ମୀସବାହ ଅନସାର,ଜାମସେଦପୁରର ଡଃ.ଅହମ୍ମଦ ବଦର ଓ ତେଲେଙ୍ଗାନାର ମହମ୍ମଦ ଅବଦୁଲ ମୋଇଜ ପ୍ରମୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ୯୦ଜଣ ଉର୍ଦ୍ଦୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଏନାମୁଲ ହକ,ଶିକ୍ଷକ ସେକ ଫାୟାଜୁଦ୍ଦିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।