ଶିକ୍ଷକ ଓ ଶିକ୍ଷାଦାନକୁ ନେଇ ଜିଲାସ୍ତରୀୟ ତାଲିମ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଅପର୍ଣ୍ଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ନୟାଗଡ ଜିଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡ.ସନ୍ତୋଷ କୁମାର ଷଡଙ୍ଗୀ ଯୋଗଦେଇ ଶିକ୍ଷାଦାନର ବିଭିନ୍ନ କ୍ରିୟାତ୍ମକ ଗବେଷଣା ଭିତ୍ତିକ ତଥ୍ୟ ଉପରେ ସଚେତନ କରାଇ ତାଲିମ ପ୍ରଦାନ କରିଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲାର ବିଦ୍ୟାଳୟ ଗୁଡିକରେ ଶ୍ରେଣୀ ଶିକ୍ଷାଦାନ ସହିତ ଜଡିତ ଥିବା ବିଭିନ୍ନ ସମସ୍ୟା ଗୁଡିକର କିପରି ସହଜରେ ସମାଧାନ ହୋଇପାରିବ ଓ ଶିକ୍ଷାଦାନର ମାନ ଅଗ୍ରଗତି କରିବ ସେ ବିଷୟରେ କୁହାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନପାଇଁ କେଉଁ ସବୁ ଦିଗ ଉପରେ ଦୃଷ୍ଟିଦେବା ଆବଶ୍ୟକ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷିକା ମମତା ଜେନା କାର୍ଯ୍ୟକ୍ରମର ସଂଯୋଜିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲାର ୪୦ଜଣ ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ଓ ଶିକ୍ଷକ ଶିକ୍ଷୟତ୍ରୀ ସମେତ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଡାକ୍ତର ମୁର୍ମୁ, ମନୋଜ କୁମାର ଗମାଙ୍ଗ, ତ୍ରିଲୋଚନ ମହାଳିକ, ସୁଚୀସ୍ମିତା ବଳ, ସନ୍ତୋଷୀ ଦେବୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।


