ଶିକ୍ଷାବିତଙ୍କ ଏକାଦଶାହ ସ୍ମୃତିଚାରଣ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଠାରେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ସୁରେନ୍ଦ୍ରନାଥ ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏବିଓ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅଞ୍ଜଳିର ସମ୍ପାଦକ ପ୍ରକାଶ କିଶୋର ମହାପାତ୍ର, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ଶିକ୍ଷାବିତ ନଟବର ରାଉଳ, କବି ଭୁବନମୋହନ ମହାନ୍ତି, ଖଗେଶ୍ୱର ମହାପାତ୍ର, ଶିକ୍ଷକ ବିଶ୍ୱମ୍ବର ନାଥ, ଗଦାଧର ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସୁରେନ୍ଦ୍ର ଦାସଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାସହିତ ତାଙ୍କର ଆକସ୍ମିକ ବିୟୋଗ ଭଣ୍ଡାରିପୋଖରୀ ସାହିତ୍ୟ ଓ ଶିକ୍ଷା ଜଗତ ପାଇଁ ଏକ ଅପୂରଣୀ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସମର୍ଥ ସୁରେନ୍ଦ୍ର ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମ୍ବାଦିକ ଧ୍ରୁବଚରଣ ବାରିକ, ନିତ୍ୟାନନ୍ଦ ଜେନା, ଶ୍ୟାମସୁନ୍ଦର ମହାପାତ୍ର, ବିଶ୍ୱମ୍ବର ରାଉତ, ରାଜକିଶୋର ଜେନା ପ୍ରମୁଖ ସ୍ୱର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଯୁବ ଶିକ୍ଷକ ପବନ କୁମାର ନାୟକ ଅତିଥିପରିଚୟ ସହିତ ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।