ଶିକ୍ଷା ଓ ଯୁବପିଢ଼ି: ଉଚ୍ଚ ଶିକ୍ଷା କମିସନ ଗଠନ ହେବ, ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ସଂସ୍କାର ଅଣାଯିବ

ନୂଆଦିଲ୍ଲୀ : ଭାରତୀୟ ଉଚ୍ଚ ଶିକ୍ଷା କମିସନ ଗଠନ କରାଯିବ ଯାହା ମାନକ ଧାର୍ଯ୍ୟ କରିବା, ସ୍ବୀକୃତି ଦେବା, ନିୟାମକ ବ୍ୟବସ୍ଥା ଏବଂ ପାଣ୍ଠି ପ୍ରଦାନ ଆଦି ଦାୟିତ୍ବରେ ରହିବ। ବିଭିନ୍ନ ଗବେ‌ଷଣା ସଂସ୍ଥା, ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଉତ୍ତମ ସମନ୍ବୟ ରକ୍ଷା କରିବା ଲାଗି ୯ଟି ସହରରେ ଗ୍ଲୁ ଗ୍ରାଣ୍ଟ୍‌ ଦିଆଯିବ। ଲଦାଖ୍‌ର ଲେହରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ। ଶିକ୍ଷକମାନଙ୍କ ପାଇଁ ଜାତୀୟ ପେସାଦାର ମାନକ କାର୍ଯ୍ୟକାରୀ କରାଯିବ। ସ୍କୁଲ୍ ଶିକ୍ଷାର ପ୍ରତିଟି ସ୍ତରରେ ସ୍ବଦେଶୀ ଭାବେ ପ୍ରସ୍ତୁତ ଖେଳନା ଭିତ୍ତିକ ପାଠପଢ଼ା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଯୁବପିଢ଼ିଙ୍କୁ ଅଧିକ ସୁଯୋଗ ଦେବା ଲାଗି ଆପ୍ରେଣ୍ଟିସ୍‌ ନିୟମରେ ସଂଶୋଧନ କରାଯିବ। ଇଞ୍ଜିନିୟରିଂ କ୍ଷେତ୍ରରେ ସ୍ନାତକୋତ୍ତର ଆପ୍ରେଣ୍ଟିସ୍‌, ସ୍ନାତକ ଓ ଡିପ୍ଲୋମାଧାରୀଙ୍କ ପ୍ରଶିକ୍ଷଣ ପାଇଁ ତିନି ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୌଶଳ ବିକାଶ ପାଇଁ ୟୁଏଇ ଓ ଜାପାନ ସହିତ ଯେଉଁଭଳି ବୁଝାମଣା ହୋଇଛି ଅନ୍ୟ ଦେଶଗୁଡ଼ିକ ସହିତ ମଧ୍ୟ ସେଭଳି ବୁଝାମଣା ହେବ। ଗବେଷଣା ବ୍ୟବସ୍ଥାକୁ ବିକଶିତ କରିବା ଲାଗି ଆସନ୍ତା ୫ ବର୍ଷରେ ଜାତୀୟ ଗବେଷଣା ଫାଉଣ୍ଡେସନ ଜରିଆରେ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଡିଜିଟାଲ୍ ପେମେଣ୍ଟ୍‌ର ପ୍ରସାର ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ପ୍ରମୁଖ ଆଞ୍ଚଳିକ ଭାଷାରେ ପ୍ରାଶସନ ଓ ନୀତି ସମ୍ପର୍କିତ ତଥ୍ୟ ଉପଲବ୍ଧ କରିବାର କାର୍ଯ୍ୟ କରିବ ଜାତୀୟ ଭାଷା ଅନୁବାଦ ମିସନ (ଏନ୍‌ଟିଏଲ୍‌ଏମ୍)। ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗଭୀର ସମୁଦ୍ର ମିସନ କାର୍ଯ୍ୟକାରୀ ହେବ। ପ୍ରଥମ ମାନବବିହୀନ ମହାକାଶ ଯାତ୍ରା ୨୦୨୧ ଡିସେମ୍ବରରେ ଆରମ୍ଭ ହେବ। ଭାରତୀୟ ସଙ୍କେତ ଭାଷାରେ ବଧିର ପିଲାମାନଙ୍କ ପାଇଁ ଜାତୀୟ ଓ ରାଜ୍ୟ ସ୍ତରୀୟ ପାଠ୍ୟ ଉପକରଣ ବିକଶିତ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦୃଢ଼ତା, ପସନ୍ଦର କ୍ଷେତ୍ର, ଗୁରୁତ୍ବ ଦେବାକୁ ଥିବା କ୍ଷେତ୍ର ଏବଂ କ୍ୟାରିଅରରେ କିଭଳି ଆଗକୁ ବଢ଼ିହେବ ସେହି ସବୁ ତଥ୍ୟ ଥିବା ଏକ ସାମଗ୍ରିକ ପ୍ରୋଗ୍ରେସ୍‌ କାର୍ଡ ପ୍ରଦାନ କରାଯିବ। ଘୋଷା ପାଠରୁ ଯେଭଳି ପରୀକ୍ଷା ଭିନ୍ନ ହୋଇପାରିବ ସେଥିପାଇଁ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ପର୍ଯ୍ୟାୟକ୍ରମେ ସଂସ୍କାର ଅଣାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ