ଶିକ୍ଷୟତ୍ରୀକୁ ପ୍ରଧାନ ଶିକ୍ଷକଙ୍କୁ ମାଡ ମହଙ୍ଗା ପଡିଲା , ପ୍ରଧାନ ଶିକ୍ଷକ ନିଲମ୍ବିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଶଟିକିରି ୟୁଜିୟୁପି ସ୍କୁଲରେ ଗତ ୧୭ତାରିଖ ଦିନ ପ୍ରଧାନ ଶିକ୍ଷକ ବେଣୁଧର ସାହୁ ଜଣେ ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ଆଜି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ବିଇଓଙ୍କ କାର୍ଯ୍ୟାଳୟ ଚିଠି ନଂ ୨୯୨୨/ ତା ୧୯/୯/୨୦୧୯ରେ ତାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ବିଦ୍ୟାଳୟର ଅନ୍ୟ ୪ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରଧାନ ଶିକ୍ଷକ ବେଣୁଧର ସାହୁଙ୍କୁ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ, ସ୍କୁଲ ଅନୁଦାନ ହେରଫେର ପ୍ରଭୃତି ଅଭିଯୋଗ ଅନୁଯାଇ ତାଙ୍କୁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମତି କ୍ରମେ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିଇଓ ଶ୍ରୀ କ୍ଷୀରୋଦ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ବିଦ୍ୟାଳୟର ଜଣେ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷୟତ୍ରୀ କ୍ଲାସରୁମରେ ଭିଡିଓ କଲିଙ୍ଗ କରି କଥା ହେଉଥିବାର ଗ୍ରାମବାସୀଙ୍କ ଠାରୁ ଶୁଣି ପ୍ରଧାନ ଶି୪କ ସଂପୃକ୍ତ ଶିକ୍ଷକଙ୍କୁ ତାଗିଦା କରିଥିଲେ । ପ୍ରଧାନ ଶିକ୍ଷକ ବେଣୁଧର ସାହୁ ଗତ ୧୭ତାରିଖ ଦିନ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିବାପରେ ଷ୍ଟାଫ ମିଟିଙ୍ଗ ଡକାଇ କ୍ଲାସ ରୁମକୁ ମୋବାଇଲ ନେବାକୁ ବାରଣ କରିଥିଲେ । କିନ୍ତୁ ଆପଣ ଜଣେ ପ୍ରଧାନ ଶିକ୍ଷକ ହୋଇ କିପରି ଅଯଥାରେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ । ପ୍ରଧାନ ଶିକ୍ଷକ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ପଳାଉଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଅଟକାଇ ଏହାର ସମାଧାନ କରନ୍ତୁ ବୋଲି କହିବାରୁ ପ୍ରଧାନ ଶିକ୍ଷକ ଜଣକ ରାଗିଯାଇ ଶିକ୍ଷୟତ୍ରୀ ରଶ୍ମିତା ମହାରଣାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ପରେ ଶିକ୍ଷୟତ୍ରୀ ଜଣକ ରାଗିଯାଇ ପ୍ରଧାନ ଶିକ୍ଷକଙ୍କୁ ଚପଲରେ ପିଟିଥିଲେ । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏପରି ବାଡିଆପିଟା ହେବା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା ।