ଶିଖରଘାଟ ପୋଲ ବାଡାରୁ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଶିଖର ପଂଚାୟତର ଶିଖର ଗ୍ରାମର ଲୋକନାଥ ବାହାଲିଆ(୮୫)ଙ୍କ ମୃତ ଦେହ ଶିଖରଘାଟ ପୋଲ ବାଡାରୁ ଝୁଲନ୍ତା ଅବସ୍ଥାରେ ନାଉଗାଁ ପୋଲିସ ସୋମବାର ଉଦ୍ଧାର କରିଛି । ସୂଚନା ମୁତାବକ ଲୋକନାଥ ସବୁଦିନ ପରି ଭୋରୁ ଗାଧୋଇବା ସହିତ ନିକଟସ୍ଥ ମହିମା ଆଶ୍ରମକୁ ପ୍ରାର୍ଥନା କରିବାକୁ ଯାଇଥାନ୍ତି । କିନ୍ତୁ ଲୋକନାଥ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ଲୋକନାଥଙ୍କ ମୃତ ଦେହ ଶିଖରଘାଟ ସେତୁ ବାଡାରେ ନିଜ ପିନ୍ଧା ଗାମୁଛାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏପରିକି ସାଥିରେ ନେଇଥିବା ଟର୍ଚ ଓ ବଙ୍କୁଲା ବାଡିଟି ମଧ୍ୟ ପୋଲ ବାଡା ଉପରେ ରଖା ହୋଇଥିଲା । ପରିବାର ଲୋକଙ୍କ ପକ୍ଷରୁ ନାଉଗାଁ ଥାନା ଖବର ଦିଆଯାଇଥିଲା । ଥାନା ପକ୍ଷରୁ ଏଏସଆଇ ଅଶୋକ କୁମାର ମହାନ୍ତି ଓ ଗାଡି ଚାଳକ ବିକ୍ରମ ସ୍ୱାଇଁ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୬/୨୦୨୦ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି । ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କର କିଛି ଦିନ ହେବ ମାନସିକ ବିକୃତ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟରେ ପୋଲରେ ଝୁଲା ଅବସ୍ଥାରେ ଥିବା ବୃଦ୍ଧଙ୍କ ମୃତ ଦେହର ପାରିପାଶ୍ୱିର୍କ ସ୍ଥିତିରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।


