ଶିମିଳିପାଳ ଜଙ୍ଗଲ ଅଗ୍ନିକାଣ୍ଡ ଅନୁଧ୍ୟାନ ପାଇଁ ଗଲେ ବିଜେପିର ୧୫ଜଣିଆ ଦଳ
ଭୁବନେଶ୍ୱର, (ୱାଇଏନ୍ଏସ୍) : ଶିମିଳିପାଳ ଜଙ୍ଗଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବାପାଇଁ ବିଜେପିର ଏକ ୧୫ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଯାଇଛନ୍ତି । ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏହି ଦଳ ଯାଇଛି । ଏହି ଦଳରେ ୧୩ଜଣ ବିଧାୟକଙ୍କ ସମେତ ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ରହିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ପ୍ରକୃତ ଏବଂ ସମସ୍ତ ବାସ୍ତବ ତଥ୍ୟ ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।ବରିଷ୍ଠ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ଡା.ବୁଧନ ମୁର୍ମୁ, ସନାତନ ବିଜୁଳି, ଡ.ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଉପାଧକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଅଛନ୍ତି ।
ଏହି ପ୍ରତିନିଧି ଦଳ ଆସନ୍ତା କାଲି ଲୁଲୁଙ୍ଗ, ପିଟାବାଟ, ବରେଇପାଣି, ଗୁଡଗୁଡିଆ ବାଟ ଦେଇ ଯଶୀପୁର ଯିବେ । ଏହା ପରେ ଯଶୀପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।