ଶିଳ୍ପୀ ଜଗତର ଅପୂରଣୀୟ କ୍ଷତି ପରଲୋକରେ ଚାନ୍ଦୁଆ ଶିଳ୍ପୀ ରଘୁନାଥ ମହାରଣା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏକାମ୍ର କ୍ଷେତ୍ରର ଲୋକପ୍ରିୟ ଚାନ୍ଦୁଆ ଶିଳ୍ପୀ ରଘୁନାଥ ମହାରଣାଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ରଘୁଭାଇ ନାମରେ ସେ ସ୍ଥାନୀୟ ଅଞ୍ଚଳ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଶ୍ ପରିଚିତ । ପୁରୁଣା ଭୁବନେଶ୍ୱରର ବଣିଆ ସାହିରେ ରଘୁନାଥଙ୍କ ଘର। ତାଙ୍କର ନିଖୁଣ କାରିଗରୀ କାମ ପାଇଁ ପ୍ରତ୍ୟେହ ରାଜ୍ୟର ବହୁ ଦୂର ଦୂରାନ୍ତରରୁ ଲୋକେ ଦେବାଦେବୀଙ୍କ ପାଇଁ ଚାନ୍ଦୁଆ, ପତାକା, ଠାକୁରଙ୍କ ପୋଷାକ ଇତ୍ୟାଦି ବରାଦ ଦେବା ପାଇଁ ଆସିଥାନ୍ତି । ଏପରିକି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଦେଶ ଓ ବିଦେଶର ପର୍ଯ୍ୟଟକମାନେ ବି ରଘୁଙ୍କ ଚାନ୍ଦୁଆ, ବାନା ଇତ୍ୟାଦି କାମକୁ ବେଶ ପ୍ରଶଂସା ମଧ୍ୟ କରିଥାନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ସମ୍ମୁଖ ରାସ୍ତାରେ ରଘୁଙ୍କ ଦୋକାନ । ଯେତେବେଳେ ରଘୁଙ୍କ ବୟସ ୧୦ ବର୍ଷ ହୋଇଥିଲା ପିତା ଲୋକନାଥ ମହାରଣାଙ୍କ ସହ ଛୁଞ୍ôଚ ଓ ସୂତା ଧରି ପାଠ ପଢାରେ ଡ଼ୋରୀ ବାନ୍ଧିଥିଲେ । ସନ୍ଧ୍ୟା ହେଲେ ରଘୁଙ୍କ ଦୋକାନ ପାଶ୍ୱର୍ରେ ସାଙ୍ଗ, ସାଥୀମାନଙ୍କ ଭିଡ଼ ଜମେ । ନୂଆ ଡ଼ିଜାଇନ୍ର କାମ ଦେଖିବା ପାଇଁ ଅନେକ ଲୋକ ବି ଆସିଥାନ୍ତି । କିଏ କୁହେ ରଘୁଭାଇ ଏ କାମଟା ବହୁତ ବଢିଆ ହୋଇଛି ତ ଆଉ କିଏ କୁହେ ଏ ଡ଼ିଜାଇନ୍ଟା ଫୁଲ୍ ମାର୍କେଟ ନେବ । ଏଭଳି ଚାନ୍ଦୁଆ, ବାନାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥାଏ । ଏକାମ୍ର କ୍ଷେତ୍ରରେ ରହିଥିବା ପ୍ରତ୍ୟେକ ଦେବାଦେବୀଙ୍କ ମନ୍ଦିରରେ ରଘୁଭାଇଙ୍କ ହାତ ତିଆରି ପତାକା ହେଉ କି ଠାକୁରଙ୍କ ପୋଷାକ ହେଉ ପ୍ରତ୍ୟେହ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଘୁଙ୍କ ଦୋକାନରୁ ନେଇ ଠାକୁରଙ୍କ ନିକଟରେ ଲାଗି କରିଥାନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପଲିଥିନ୍, ପ୍ଲାଷ୍ଟିକ ନିଷିଦ୍ଧ ଘୋଷଣା ସମୟରେ ସାମାଜିକ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ପଲିଥିନ୍ ମୁକ୍ତ ଅଭିଯାନରେ ରଘୁ ଭାଇ ପ୍ରମୁଖ ଭୂମିକା ନେଇଥିଲେ । ଅଦରକାରୀ ପ୍ୟାଣ୍ଟ, ସାର୍ଟକୁ ବ୍ୟବହାର କରି ସେଥିରୁ ସୁନ୍ଦର ପରିବେଶ ଉପଯୋଗୀ ବ୍ୟାଗ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଲୋକମାନଙ୍କୁ ଯୋଗାଇ ଦେଇଥିଲେ । ଏତଦ୍ସହ ଆନ୍ତର୍ଜାତୀୟ ଧଉଳି ଚିତ୍ରକଳା ମହୋତ୍ସବରେ ବିଭିନ୍ନ ଦେଶର ଜାତୀୟ ପତାକା ତିଆରି କରି ବେଶ ଲୋକପ୍ରିୟତା ସେ ହାସଲ କରିଥିଲେ । ରଘୁଭାଇଙ୍କ ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର । ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ସମୟରେ ରଘୁ ଭାଇଙ୍କ ଦୋକାନ ଭାଙ୍ଗି ଯାଇଥିଲା । ଦୋକାନ ଭାଙ୍ଗିଯିବା ପରେ ସେ ଅନେକ ସମୟରେ ଚାପରେ ରହୁଥିଲେ । କେମିତି ପରିବାର ଚଳେଇବି, ଦୁଇଓଳି ଦୁଇମୁଠା ଆହାର ତିନିପ୍ରାଣୀଙ୍କ ତୁଣ୍ଡରେ କିପରି ଦେବି, ଶେଷରେ ଚିନ୍ତା ହିଁ ତାଙ୍କୁ ଗ୍ରାସ କରିଦେଇଥିଲା । ଶିଳ୍ପୀ ରଘୁନାଥଙ୍କ ପରଲୋକରେ ସ୍ଥାନୀୟ ବାସିନ୍ଦା ରଜେନ୍ଦ୍ର ସମର୍ଥା, ପ୍ରଦୀପ୍ତ ନାୟକ, ଶୀବ ପ୍ରସାଦ ବେହେରା, ମାନସ ରଞ୍ଜନ ମିଶ୍ର, ଅଶୋକ କୁମାର ପୃଷ୍ଟି, ନୃସିଂହ ଚରଣ ଦାଶ, ବାଣୀକଣ୍ଠ ମହାପାତ୍ର, ସରୋଜ କୁମାର ମହାସୁଆର, ଅଜୟ କୁମାର ବିଷୋୟୀ, ବିଜୟ କୁମାର ସାହୁ, ପ୍ରଦୀପ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ଦାସ, କୀର୍ତ୍ତିରାଜ ଶତପଥୀ, ଦାଶରଥୀ ଗରାବଡ଼ୁ, ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରଘୁଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶିଳ୍ପୀ ଜଗତର ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।