ଶିଶୁକୁ ଅପହରଣ ଓ ବଳାତ୍କାର ମାମଲା; ଅଭିଯୁକ୍ତକୁ ୨୫ ବର୍ଷ ଜେଲ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ୫ ବର୍ଷର ଶିଶୁକୁ ଅପହରଣ ଓ ବଳାତ୍କାର ମାମଲାରେ ଫୁଲବାଣୀ ସ୍ବତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଗଣେଶ ବେହେରା ଦଳେଇ (୨୮) । ଏଥିସହ ଅଭିଯୁକ୍ତକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଦେଢ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଡାକ୍ତରୀ ରିପୋର୍ଟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ସଞ୍ଜିତ କୁମାର ବେହେରା ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୦୨୦ ଜାନୁଆରୀ ୨୬ ତାରିଖରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଶିଶୁ ଜଣକ ନିଜ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ସକାଳ ପ୍ରାୟ ୮ଟା ବେଳେ ତାକୁ ଜଳଖିଆ ଦେବି କହି ସେଠାରୁ ଗ୍ରାମର ରାସ୍ତା କଡରେ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଯାଇ ସେଠାରେ ବଳାତ୍କାର କରିଥିଲା । ଏହି ସମୟରେ ଶିଶୁର ଚିତ୍କାର ଶୁଣି ସ୍କୁଲରେ ପତାକା ଉତ୍ତୋଳନ ସାରି ଫେରୁଥିବା ଦୁଇ ଜଣ ଛାତ୍ର ଓ କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପିଡିତାକୁ ଉଦ୍ଧାର କରି ଘରେ ଛାଡିଥିଲେ। ଏ ନେଇ ଶିଶୁର ମା ସେହି ଦିନ ବ୍ରାହ୍ମଣୀ ଗାଁ ଥାନାରେ ଏତଲା ଦେଇଥିଲେ। ଏତାଲା ଆଧାରରେ ପୁଲିସ କେସ ନଂ ୯/୨୦ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗୁରୁବାର ଏହି ମାମଲାର ଶୁଣାଣି କରି ଅଦାଲତ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ