ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ୱାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା”ର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତିରେ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ମଧ୍ୟରେ ପ୍ରତିଫଳିତ କରିବା ପାଇଁ ଗତ ୩ଦିନ ହେଲା ମାଲକାନଗିରିରୁ ଆସିଥିବା “ବଡଦିଦି” କାର୍ଯ୍ୟକ୍ରମର କର୍ମକର୍ତ୍ତାମାନେ ସମସ୍ତ ୭ ଗୋଟି ବ୍ଲକର କିଶୋରୀ ବାଳିକା, ଏନ୍‌ଏସ୍‌ଏସ୍‌, ଏନ୍‌ସିସିର ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରି ନିଜ ଜିଲ୍ଲାର ଅନୁଭୁତିକୁ ବାଣ୍ଟିବା ସହ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷାର କେତେ ଆବଶ୍ୟକ ଅଛି ତାହାକୁ ଅନୁଭବ କରାଇ ପାରିଥିଲେ । ଏହି କାର୍ଯ୍ୟକ୍ରମ ମୋହନା, ନୂଆଗଡ, ଆର୍‌.ଉଦୟଗିରି ପଞ୍ଚାୟତ ସମିତି ପାଇଁ ଆର୍‌.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏବଂ କାଶୀନଗର, ଗୁମ୍ମା, ରାୟଗଡ ଓ ଗୋଷାଣୀ ପଞ୍ଚାୟତ ସମିତି ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଜିଲ୍ଲାପାଳକାର୍ଯ୍ୟାଳୟ ଠାରେ ତାଲିମ ଅନୁଷ୍ଠିତ ହୋଇଥିଲା । ଆଜି ଶେଷ ଦିନରେ ସମସ୍ତ କିଶୋରୀ ବାଳିକାଙ୍କ ମତାନୁସାରେ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କଥା ନିଷ୍ପତ୍ତି ହେଲା ପରେ କିଶୋରୀ ବାଳିକାମାନେ କାର୍ଯ୍ୟକ୍ରମର ନାମ ଦେଇଥିଲେ “ପ୍ରତିଜ୍ଞା” । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଜିଲ୍ଲାରୁ ଶିଶୁ ଶ୍ରମିକ ମୁକ୍ତ କରିବା, ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବା, ଜିଲ୍ଲାରେ କେହି ହେଲେ ଶିଶୁ ଶିକ୍ଷାରୁ ବଂଚିତ ହେବ ନାହିଁ, ଜିଲ୍ଲାର କୌଣସି ଶିଶୁ ଯେପରି ଯୈାନ ନିର୍ଯ୍ୟାତିତ ହେବେ ନାହିଁ ସେଥିପ୍ରତି ଏକ ସୁରକ୍ଷା ବଳୟ ତିଆରି କରିବା, ଜିଲ୍ଲାକୁ ଶିଶୁ ଚାଲାଣରୁ ମୁକ୍ତ କରିବା, ଜିଲ୍ଲାର ଶେଷ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ଥଇଥାନ କରିବା । ଏହି କାର୍ଯ୍ୟକ୍ରମକୁ ୨୦୨୫ ପୂର୍ବରୁ ସମ୍ପୂର୍ଣ୍ଣ କରିବା ହାତକୁ ନେଇଥିବା ରଣନୀତି ଗୁଡିକ ହେଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚ, ଯୁବ ଗୋଷ୍ଠି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀ ଏବଂ ନିର୍ଯ୍ୟାତିତ ଶିଶୁମାନେ ଆଗଧାଡିର କର୍ମୀ ହୋଇ କାର୍ଯ୍ୟକରିବେ, ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ କରି ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା, ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପୁନଃ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାରେ ନିୟୋଜିତ କରାଇବା, ବିଭିନ୍ନ ସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସକୁ ସଶକ୍ତିକରଣ କରିବା, ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା । ଏହି କାର୍ଯ୍ୟକ୍ରମକୁ ଆସନ୍ତା ଦିନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ପାଇଁ ଜିଲ୍ଲାପାଳ ଶ୍ରୀପଣ୍ଡା ସମସ୍ତଙ୍କର ସହଯୋଗ କାମନା କରିବା ସହ ଯେଉଁ ଅଙ୍ଗନୱାଡି କର୍ମୀି ଏବଂ ସୁପରଭାଇଜର ବାଲ୍ୟ ବିବାହ ରୋକିବା ନିମନ୍ତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ତାଙ୍କୁ ଗଣତନ୍ତ୍ର ଦିବସରେ ଜିଲ୍ଲାରେ ସମ୍ମାନିତ କରିବା ସହିତ ସେମାନଙ୍କ ନାମକୁ ସାହସିକତା ପୁରସ୍କାର ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାରେ ଚାଲୁ ରହିଥିବା ଆଶୀର୍ବାଦ ଯୋଜନାରେ ଭଲ ପ୍ରଦର୍ଶନ ଦେଖାଇଥିବା ଦୁଇଜଣ ଅଙ୍ଗନୱାଡି କର୍ମୀ ଯଥା ଗୁମ୍ମା ବ୍ଲକର ଦମୟନ୍ତୀ ଭୂୟାଁ, ରାୟଗଡ ବ୍ଲକର ଆରୁଦ୍ରା ଶବର ଓ ମାଲକାନଗିରିରୁ ଆସିଥିବା “ବଡଦିଦି” ଟିମ୍‌ର ସଦସ୍ୟା ଜନ୍ତନ୍ତୀ ବୁରୁଦା, ଭବାନୀ ହରିଜନ ଓ ଜ୍ୟୋତିର୍ମୟୀ ଖରାଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଏଥିରେ ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜିଲ୍ଲାର ବିଭିନ୍ନ, ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଚାଇଲ୍‌ଡଲାଇନ୍‌, ସଖୀ, ପଞ୍ଚାୟତ ସମିତି ସ୍ତରୀୟ ଓଡିଶା ଜିବିକା ମିଶନ୍ ଓ ମିଶନ ଶକ୍ତିର କର୍ମକର୍ତ୍ତାମାନେ ଯୋଗ ଦେଇଥିବା ବେଳେ ଆକ୍ସନଏଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମହେର ଓ ୟୁଏନ୍‌ଏଫ୍‌ସିର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ