ସହରରେ ଲଗାତର ୨ଦିନିଆ ବିଦ୍ୟୁତ କାଟ : ପ୍ରବଳ ଜନଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୨ଦିନିଆ ବିଦ୍ୟୁତ କାଟ ଆରମ୍ଭ ହୋଇଛି । ଗତକାଲି ସୋମବାର ଓ ଆଜି ମଙ୍ଗଳବାର ଦୁଇଦିନ ସକାଳ ୮ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ବିନା ସୂଚନାରେ ବିଦ୍ୟୁତ କାଟ ହୋଇଛି । ପୂର୍ବରୁ ଏପରି ବିଦ୍ୟୁତ କାଟ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରାଯାଉଥିଲା । ହେଲେ ବର୍ତ୍ତମାନର ଦୁଇ ଦିନିଆ ବିଦ୍ୟୁତ କାଟ ସମ୍ପର୍କରେ ସେପରି କୌଣସି ପ୍ରଚାର କିମ୍ବା ସୂଚନା ପ୍ରଦାନ କରାଯାଇନାହିଁ । ଏଥି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ବହୁ କ୍ଷତି ସହୁଛନ୍ତି । ଜିଲ୍ଲା ସଦର ମହକୁମା ହୋଇଥିବା ଏବଂ ଜିଲ୍ଲାର ଏକମାତ୍ର ପୌରପରିଷଦ ହୋଇଥିବାରୁ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଜରୁରୀ କାମରେ ଏଠାକୁ ଆସୁଥିବା ଗରୀବ ନିରୀହ ଲୋକେ ବିଦ୍ୟୁତ ଜନିତ ସମସ୍ୟା ଯୋଗୁଁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଫେରୁଛନ୍ତି । ଏପରି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ନଥିବା ଯୋଗୁଁ ସେମାନଙ୍କ ବିଭିନ୍ନ କାମ ଯଥା ଜେରକ୍ସ ଠାରୁ ଆରମ୍ଭ କରି ଅନ୍‌ଲାଇନରେ ବିଭିନ୍ନ ଆବେଦନ, ସରକାରୀ କାର୍ଯ୍ୟ ସମାପନ ହୋଇପାରିନି । ଫଳରେ ଦିନକର କାମକୁ ଦିଦିନ କିମ୍ବା ବିନା କାମରେ ଖର୍ଚ୍ଚାନ୍ତ ଓ ସମୟ ନଷ୍ଟକରି ଫେରୁଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି । ଖବର ନେବାରେ ଜଣାପଡିଛି ଯେ, ରାୟଗଡ ଜିଲ୍ଲା ସ୍ଥିତ ଆକୁସିଂ-ପାରାଳାଖେମୁଣ୍ଡି ୧୩୨କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଏହି ଦୁଇ ଦିନ ବିଦ୍ୟୁତ କାଟ କରାଯିବ । ତେବେ ସନ୍ଧ୍ୟା ୫ଘଣ୍ଟା ସମୟ ସୁଦ୍ଧା ବିଦ୍ୟୁତ ସରାବରହ ଚାଲୁ କରିବା ପାଇଁ ସମୟ ଜାରି କରାଯାଇଥିଲେ ମଧ୍ୟ ସନ୍ଧ୍ୟା ୬ଘଣ୍ଟା ଠାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ଲାଇନ ଚାର୍ଯ କରାଯାଇ ନଥିଲା । ପ୍ରତ୍ୟେକ ଥର ନିର୍ଦ୍ଧରିତ ସମୟରେ ବିଦ୍ୟୁତ କାଟ ହେଉଛି । ହେଲେ ନିର୍ଦ୍ଧରିତ ସମୟରେ କାହିଁକି ବିଦ୍ୟୁତ ସରବରାହ ଦିଆଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ