ଶୀତଳ ଭଣ୍ଡାରରେ ଗ୍ରାମ ପଞ୍ଚାୟତ ଶିକ୍ଷା ଷ୍ଟାଣ୍ଡିଂ କମିଟି
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଚିଠି ନଂ-୧୭୨୯୧/ତା-୧୧-୮-୧୪ ରିଖରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଏକ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠନ କରାଯିବା ନିମନ୍ତେ ପଦକ୍ଷେପ ନେବାକୁ ଚିଠି ହୋଇଥିଲା । ଏହି ଷ୍ଟାଣ୍ଡିଂ କମିଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପରିଚାଳନା କମିଟି ଗଠନ କରାଇବା, ବିଦ୍ୟାଳୟର ଉନ୍ନୟନ ଦିଗରେ ଗୁରୁତ୍ୱଦେବା ସହିତ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ କ୍ଷମତାପ୍ରାପ୍ତ ହୋଇଛନ୍ତି । ଏହି ଷ୍ଟାଣ୍ଡିଂର ଅଧ୍ୟକ୍ଷ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଆବାହକ ସଂପୃକ୍ତ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ବେଳେ ୱାର୍ଡ ସଭ୍ୟ, ଶିକ୍ଷାବିତ୍ ଓ ସଂପୃକ୍ତ ଗ୍ରାମ ପଞ୍ଚାୟତର ସିଆରସିସି ସଭ୍ୟ ଭାବେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି । ଏହି କମିଟି କେବଳ ୩ ବର୍ଷର ଥରେ ବିଭିନ୍ନ ବିଦ୍ୟାଳୟର ପି.ଟି.ଏ ଓ ଏସ୍.ଏମ୍.ସି ଗଠନ ସମୟରେ ତତ୍ପରତା ପ୍ରକାଶ କରୁଥିବା ବେଳେ ଅନ୍ୟ ସମୟରେ ଷ୍ଟାଣ୍ଡିଂ କମିଟି ବୈଠକ ଡକା ଯାଉନାହିଁ । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଥିଲା ତାର ଉଦ୍ଦେଶ୍ୟ ସଠିକ୍ ଭାବେ ସଂପାଦିତ ହେଉନଥିବା ଦେଖିବାକୁ ମିଳୁଛି । ଏହି କମିଟିର ଉଭୟ ଅଧ୍ୟକ୍ଷ ଓ ଆବାହକ ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାର ଦେଖିବାକୁ ମିଳୁଥିବା ବେଳେ ସମୟ ଅଭାବରୁ ସେମାନେ ଶିକ୍ଷା ବ୍ୟବସ୍ଥାର ଦୂରାବସ୍ତା ବିଷୟରେ ଧ୍ୟାନ ଦେଇପାରୁନଥିବା ଜଣାଯାଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।


