ବ୍ରହ୍ମପୁରରେ ଜୋର ଧରିଲା ଫ୍ଲାଏଓଭରବ୍ରିଜ ନିର୍ମାଣ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦକ୍ଷିଣ ଓଡିଶାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଦିନକୁ ଦିନ ବିଗୁଡୁଛି ଟ୍ରାଫିକ ସମସ୍ୟା । କ୍ରମାଗତ ଭାବେ ଜନସାଧାରଣ ବୃଦ୍ଧି ହେବା ସହ ସେହି ପରିମାଣରେ ଯାନବାହାନ ଚଳାଚଳ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ରାସ୍ତାର ସଂକୀର୍ଣ୍ଣତା କାରଣରୁ ଯାନବାହାନ ଚଳାଚଳ ସହ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବାବେଳେ ଅନ୍ୟପଟେ ରାସ୍ତା ଉପରେ ଉଠା ଦୋକାନୀ ଜବର ଦଖଲ କରିବସିଛନ୍ତି ଯାହା ଟ୍ରାଫିକ ବିପର୍ଯ୍ୟସ୍ତର କାରଣ ପାଲଟିଛି । ବେଆଇନ ପାର୍କିଙ୍ଗ ଦ୍ୱାରା ରାସ୍ତାକଡରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଅଟକି ରହୁଥିବାରୁ ଅନେକ ସମୟରେ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଅଗ୍ନିଶମ ଗାଡି ପର୍ଯ୍ୟନ୍ତ ଟ୍ରାଫିକ ଦ୍ୱାରା ହଟ୍ଟହଟ୍ଟା ହେଉଛନ୍ତି । ଆସ୍କାରୋଡଠାରୁ ଗେଟ ବଜାର ଦେଇ ସିଟି ହସ୍ପିଟାଲ ଓ ଖଲ୍ଲିକୋଟ କଲେଜ ସମ୍ମୁଖରେ ରାସ୍ତା ସବୁବେଳେ ଜାମ ରହୁଥିବାରୁ ରାଜ୍ୟସରକାର ଆସ୍କାରୋଡଠାରୁ ଗେଟ ବଜାର ଦେଇ ସିଟି ହସ୍ପିଟାଲ ପର୍ଯ୍ୟନ୍ତ ଗୋଟିଏ ଏବଂ ଖଲ୍ଲିକୋଟ କଲେଜ ସମ୍ମୁଖରେ ଅନ୍ୟଏକ ଫ୍ଲାଏଓଭରବ୍ରିଜ ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।


