ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ପାସେଞ୍ଜର ଟ୍ରେନ ଚାଲୁ କରିବା ପାଇଁ ସିପିଆଇର ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ୯ମ ଜିଲ୍ଲା ସମ୍ମିଳନୀ ଆସନ୍ତା ୧୧ ଓ ୧୨ ଦୁଇଦିନ ଧରି କେନ୍ଦ୍ରାପଡା ସହରର ଶ୍ରୀ ବଳଦେବ ଜୀଉ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ସାଥି ବାବାଜୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବର୍ଷୀୟାନ କମ୍ୟୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକ, ପ୍ରହଲ୍ଲାଦ ସେଠୀ, ନିରଞ୍ଜନ ଷଡଙ୍ଗୀ ପ୍ରମୁଖ ସାଥିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚଳାଚଳ କରିବା ଓ ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ପାଇଁ ବୈଠକରେ ଦାବି କରାଯାଇଛି । ସି.ପି.ଆଇ. ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ ବିଗତ ଦିନର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ସହ ପ୍ରତି ୩ ବର୍ଷରେ ଥରେ ଜିଲ୍ଲା, ରାଜ୍ୟ ଓ ଦେଶରେ ସମ୍ମିଳନୀ ହୋଇ ସାଙ୍ଗଠନିକ ଏବଂ ରାଜନୈତିକ କାର୍ଯ୍ୟକ୍ରମର ନିର୍ଦ୍ଧାରଣ ସହିତ ବର୍ତ୍ତମାନ ଯେଭଳି ଦରଦାମ ବୃଦ୍ଧି, ବିଜୁଳି କାଟ ଚାଲିଛି ଓ ବିଜୁଳି ଦରବୃଦ୍ଧି ଏବଂ ଚାଷୀକୁ ଫସଲର ଉଚିତ ଦର ମିଳୁନାହିଁ, ବେକାର ଯୁବକ / ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ସମ୍ବିଧାନର ସୁରକ୍ଷା, ଦେଶରେ ଭାଇଚାରା ରକ୍ଷା ଉପରେ ବିଜେପି ଓ ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ବର୍ଷ ସମ୍ମିଳନୀରେ ୧୫୦ ପ୍ରତିନିଧି ଯୋଗଦେବା ସହିତ ନୂଆବସଷ୍ଟାଣ୍ଡ ଠାରୁ ସକାଳ ୮ଟା ୩୦ ମିନିଟରେ ଏକ ଶୋଭାଯାତ୍ରାରେ ଏକ ହଜାରରୁ ଉର୍ଦ୍ଧ୍ୱ ସାଥି ଯୋଗ ଦେବେ । ଏଥିରେ ରାଜ୍ୟ ସଂପାଦକ ସାଥି ଆଶିଷ କାନୁନଗୋ ଓ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଜୟନ୍ତ ଦାସ ଯୋଗଦେବା ସହିତ ଏଠାରେ ଏକ ସେମିନାର ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ବୈଠକରେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ସୀତାକାନ୍ତ ନାୟକ, ସୋହାନା ବେଗମ, ନିରଞ୍ଜନ ଦାଶ, ମଙ୍ଗୁଳି ଚରଣ ଦାଶ, ବିକାଶ ଚନ୍ଦ୍ର ବେଉରା, ଡାକ୍ତର ବାଘୁରାଇ, ପ୍ରଦୀପ ବେହେରା, ସଂଯୁକ୍ତା ରାଉତ, ଦାମୋଦର ମଳିକ, ହୃଷିକେଶ ମହାପାତ୍ର, ପ୍ରମୋଦ ସାହୁ, ଅମୀୟ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ