ଶୀତ ଦିନରେ ମଧ୍ୟ ପାଣି ପାଇଁ ଯିବାକୁ ପଡେ 3 କିଲୋମିଟର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଲକ୍ଷ୍ମୀପୁର ଗ୍ରାମରେ ସ୍ୱାଧୀନତାର 77 ତମ ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମବାସୀଙ୍କୁ ମିଳିନି ମୌଳିକ ସୁବିଧା. ବର୍ଷ ବର୍ଷ ଧରି ଲକ୍ଷ୍ମୀପୁର ଲୋକେ ପିଇବା ପାଣି ପାଇଁ ଡହଳବିକଳ ଓ ହନ୍ତସନ୍ତ ହେବା ସହ ବହୁ ଦୁଃଖ କଷ୍ଟ ଭୋଗ କରି ଆସୁଛନ୍ତି. ବର୍ତ୍ତମାନର ଶୀତ ଦିନରେ ଗଜପତି ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଓ ବନ ପାହାଡ଼ ଘେରା ଏହି ଲକ୍ଷ୍ମୀପୁର ରେ ପ୍ରବଳ ଶୀତ ଅନୁଭୂତ ହେଉଛି. ଲୋକେ ସନ୍ଧ୍ୟା ପୂର୍ବରୁ ଶୀତର ପ୍ରକୋପରେ ଘରୁ ବାହାରି ପାରୁନାହାନ୍ତି. ତଥାପି ଏଭଳି ଶୀତ ଦିନରେ ମଧ୍ୟ ଲକ୍ଷ୍ମୀପୁର ଗାଁ ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି. ଗ୍ରାମର ମହିଳାମାନେ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ସୁଦ୍ଧା ହାଣ୍ଡିଏ ପାଣି ପାଇଁ ବଣ ପାହାଡ଼ ଘେରା ଅଞ୍ଚଳରେ 3 କିମିରୁ ଅଧିକ ରାସ୍ତା ପାଦ ଚଲାରେ ଯାଇ ପିଇବା ପାଣି ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି. ଘଟଣାରୁ ପ୍ରକାଶ, କେବଳ ଗଜପତି ଜିଲ୍ଲା ନୁହେଁ ପ୍ରାୟ ସମସ୍ତ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆସିଲେ ଜଳ ସମସ୍ୟା ଦେଖାଦେଇଥାଏ । ମାତ୍ର ଶୀତଦିନରେ ମଧ୍ୟ ପାନୀୟ ଜଳ ସମସ୍ୟା ଆଶ୍ଚଯ୍ୟ ଲାଗିଲେ ମଧ୍ୟ ସତ। ଖରା, ବର୍ଷା ଓ ଶୀତ ବର୍ଷ ସାରା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ସଦର ପଞ୍ଚାୟତର ଲକ୍ଷ୍ମୀପୁର କଲୋନୀରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ଲୋକେ ପଞ୍ଚାୟତ ଠାରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀପୁର କଲୋନୀ ରାୟଗଡ ବୃକ୍ କାର୍ଯ୍ୟାଳୟ ଠାରୁ ୧କିମି ଦୂରରେ ରହିଛି। ଏହି ଗାଁରେ ପ୍ରାୟ ୮୦ ପରିବାର ରହୁଥିବା ବେଳେ ଲୋକସଂଖ୍ୟା ପ୍ରାୟ ୪ଶହ । ଗାଁରେ ତିନିଟି ନଳକୂପ ରହିଛି। ଦୁଇଟି ଅଚଳ ହୋଇ ପଡ଼ିଥିବା ବେଳେ ଗୋଟିଏ ସଚଳ ରହିଛି। ଅଳ୍ପ କିଛି ପାଣି ଆସିବା ପରେ ଗୋଳି ପାଣି ବାହାରୁଛି। ପ୍ରତିଦିନ ଜଳର ଆବଶ୍ୟକ‌ତା ମେଣ୍ଟାଇବା ପାଇଁ ଗାଁର ମହିଳାମାନେ ପ୍ରାୟ ଦୁଇ କିମି ଦୂରରେ ଥିବା ଏକ ନାଳରୁ ପାଣି ସଂଗ୍ରହ କରୁଛନ୍ତି। ଏହାକୁ ପିଇବା ଦ୍ଵାରା ଗାଁର ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଅନ୍ୟପକ୍ଷରେ ବିଶେଷ କରି ପ୍ରାୟ ୩ଶହ ସ୍କୁଲ ପିଲା ମଧ୍ୟ ସମାନଅବସ୍ଥା ଭୋଗୁଛନ୍ତି । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ଯ ପାଣି ମିଳୁନଥିବାରୁ ଏହି ନାଳ ପାଣି ହିଁ ସେମାନଙ୍କ ଭରଷା ହୋଇଛି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି କହିଛନ୍ତି, ପାଣି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକମାନେ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏନେଇ ବ୍ଲକ୍ ଅଧକ୍ଷା ପୂର୍ଣବାସୀ ନାୟକଙ୍କୁ ପଚାରିବାରେ ଗାଁର ଜଳକଷ୍ଟ ସଂପର୍କରେ ତାଙ୍କ ନିକଟରେ ଖବର ରହିଛି । ବିଡିଓଙ୍କ ସହ ଆଲୋଚନା କରି କିଭଳି ଅତିଶୀଘ୍ର ଏହାର ସମାଧାନ ହେବ ସେଥୁପ୍ରତି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ବିଡିଓ ସୁଧୀର କୁମାର ସିଂ ଘଟଣା କିଛି ଦିନ ତଳେ ଜାଣିବାକୁ ପାଇଛି । ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ