ଶୁଭେଚ୍ଛାରେ କଟିଲା ନୂଆବର୍ଷର ପ୍ରଥମ ଦିନ
ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇବର୍ଷର କୋଭିଡ କଟକଣା ହଟିଥିବା ବେଳେ ଚଳିତ ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ସହର ସମେତ ସମଗ୍ର ବାଲେଶ୍ୱର ଜିଲାରେ ଉତ୍ସବର ମାହଲ ପରିଲକ୍ଷିତ ହୋଇଛି । ଗତକାଲି ଅର୍ଥାତ ଡିସେମ୍ବର ୩୧ ତାରିଖ ମଧ୍ୟରାତିରୁ ଜିରୋ ନାଇଟ ସେଲିବ୍ରେସନ ସାଙ୍ଗକୁ ମୋବାଇଲରେ ମେସଜ ଦିଆନିଆରେ ସବୁବର୍ଗର ଲୋକେ ବ୍ୟସ୍ତ ହୋଇ ଉଠିଥିଲେ । ରବିବାର ସକାଳରୁ ଫୁଲତୋଡ଼ା ଦେଇ ମିଠା ଖୁଆଇ ଲୋକେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜାଣଉଥିବା ଦେଖିବାକୁ ମିଳିଥିଲା । ରବିବାର ସତ୍ତ୍ୱେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ତଳିଆ ଅଧିକାରୀମାନେ ଫୁଲତୋଡ଼ା ଧରି ଉପରିସ୍ଥ ଅଧିକାରୀଙ୍କୁ କ୍ୱାର୍ଟର୍ସ ସମ୍ମୁଖରେ ଭିଡ଼ ଲଗାଇଥିଲେ । ବିଶେଷ କରି ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଭିଜିଲାନ୍ସ ଏସପିଙ୍କ ସମେତ ପ୍ରମୁଖ ବିଭାଗର ମୁଖ୍ୟ ଅଧିକାରଙ୍କୁ ତଳିଆ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ଘରୋଇ ସଂସ୍ଥାର କର୍ମକର୍ତ୍ତାମାନେ ଫୁଲତୋଡ଼ା ଓ ମିଠା ପ୍ୟାକେଟ ଦେଇ ନୂଆବର୍ଷ ଶୁଭେଚ୍ଛା ଦେଉଛନ୍ତି । କେବଳ ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ରାଜନେତା ଲୋକ ପ୍ରତିନିଧିଙ୍କ ବାସଭବନରେ ବି ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବାସଭବନରେ ବି ଜନଗହିଳି ପରିଲକ୍ଷିତ ହୋଇଥିଲା । ସହଯୋଗୀ, ସମର୍ଥକଙ୍କ ସମେତ ଦଳୀୟ କର୍ମୀ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଶୁଭେଚ୍ଛା ଜଣାଉଥିଲେ । ସେହିଭଳି ନୂଆବର୍ଷର ପ୍ରଥମ ଦିନରେ ଜିଲାର ସମୁଦ୍ରକୂଳଠାରୁ ପାହାଡ଼ ଘେରା ଅଞ୍ଚଳ ବଣଭୋଜି ପାଇଁ ଲୋକେଲୋକାରଣ୍ୟ ହୋଇ ଉଠଇଥିଲା । ଜାନୁଆରୀ ମାସ ୧ ତାରିଖ ଇଂରାଜୀ ନବବର୍ଷର ପ୍ରଥମ ଦିନ ହେଲେ ମଧ୍ୟ ବାଲେଶ୍ୱରରେ ଏହାକୁ ପାଳନ କରିବାରେ ନିଆରା ପରମ୍ପରାରେ ସାମିଲ ହୋଇଛନ୍ତି ସମସ୍ତେ ।