ଶୂନ୍ୟରେ ସାଇକେଲ ଚାଳନା

ସମସ୍ତେ ଜାଣନ୍ତି ରାସ୍ତାରେ ସାଇକେଲ ଚାଳନା କରାଯାଏ । କିନ୍ତୁ ଶୂନ୍ୟରେ ସାଇକେଲ ଚଳାଇବା କଥା କହିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଅବାକ୍ ହେବାର କିଛି ନାହିଁ । ପର୍ଯ୍ୟଟକମାନଙ୍କୁ ଏଭଳି ଆଡ୍ଭେଞ୍ଚର ସ୍ପୋର୍ଟସ୍ର ସୁଯୋଗ ଆଣିବାକୁ ଯାଉଛି ହିମାଚଳପ୍ରଦେଶ ପର୍ଯ୍ୟଟନ ବିଭାଗ । ଅବଶ୍ୟ ଆଡଭେଞ୍ଚର ସ୍ପୋର୍ଟସ୍ ହିମାଚଳରେ ନୂଆ ନୁହେଁ । ଆଡ୍ଭେଞ୍ଚର ସ୍ପୋର୍ଟସ୍ ଏବଂ ପ୍ରାକୃତିକ ଶୋଭାରାଜି ପାଇଁ ମନାଲୀ ପର୍ଯ୍ୟଟକଙ୍କର ଖୁବ୍ ଜନପ୍ରିୟ । ପାରାଗ୍ଲାଇଡିଂ, ସ୍କିୟିଂ ଏବଂ ରିଭର ରାଫ୍ଟିଙ୍ଗ୍ ସହ ଏଥର ଆଡ୍ଭେଞ୍ଚର ସ୍ପୋର୍ଟସ୍ (ଦୁଃସାହସିକ କ୍ରୀଡା) ପ୍ରେମୀ ପର୍ଯ୍ୟଟକମାନଙ୍କୁ ଭିନ୍ନ ଧରଣର ସ୍ୱାଦ ଦେବା ସକାଶେ ହିମାଚଳ ପର୍ଯ୍ୟଟନ ବିଭାଗ ସାମିଲ କରିବାକୁ ଯାଉଛି ‘ସ୍କାଇ ସାଇକ୍ଲିଙ୍ଗ୍’ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଜଙ୍ଗଲ ବିଭାଗ ଏବଂ ଅଟଳ ବିହାରୀ ବାଜପାୟୀ ଇନ୍ଷ୍ଟିଚ୍ୟୁଉଟ୍ ଅଫ୍ ମାଉଣ୍ଟେନ୍ୟରିଂ ମିଳିତ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ଏହି ଆଡଭେଞ୍ଚର ସ୍ପୋର୍ଟସ୍ । ମାନାଲୀର ଗୁଲାବରେ ଏହି ସ୍କାଇ ସାଇକ୍ଲିଂ ପାର୍କ ତିଆରି ହେଉଛି । ୩୫୦ ମିଟର ଇଲାକାରେ ତିଆରି ହୋଇଛି ଏହି ଇକୋଫ୍ରେଣ୍ଡଲି ସ୍କାଇ ସାଇକ୍ଲିଂ ପାର୍କ । ସାଇକେଲିଂ ସହ ଏହି ପାର୍କରେ ବିନୋଦନ ପାଇଁ ରହିବ ୱାକିଙ୍ଗ୍ ଟ୍ରାକ୍, ପିଲାମାନଙ୍କ ପାଇଁ ଖେଳିବା ସ୍ଥାନ, ରୋପ୍ କ୍ରସ, ପିକ୍ନିକ୍ ସ୍ପଟ୍, ଟ୍ରି ହାଉସ୍, ରେସ୍ତୋରାଁ, ଶପିଙ୍ଗ୍ କମ୍ପେ୍ଲକ୍ସ, ସ୍ନୋ ଗେମ୍ ଇତ୍ୟାଦି । ସମୁଦ୍ର ପତ୍ତନଠାରୁ ୯୦୦୦ଫୁଟ ଉଚ୍ଚତାରେ ନିର୍ମାଣ କରାଯାଉଛି ସ୍କାଇ ସାଇକ୍ଲିଂ ପଥ । ଚଳିତ ମାସ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଖୋଲିଯିବ ଏହି ବିନୋଦନ ପାର୍କ । ମାନାଲୀ ଗସ୍ତରେ ଯାଇ ପାରା ଗ୍ଲାଇଡିଙ୍ଗ୍ ମଜା ଉଠାଇଥିବା ପର୍ଯ୍ୟଟକମାନେ ଏବେ ଶୂନ୍ୟରେ ସାଇକେଲିଂ କରି ପ୍ରକୃତିର ମଜା ଉଠାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ