ଶୋକାକୁଳ ପରିବେଶରେ ଦୁଇଭାଇଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ, ପରିବାରକୁ ଭେଟିଲେ ପ୍ରଶାସନିକ ଅଧିକାରୀ
ହାଟଡିହିି, (ବିକାଶ ବିଶ୍ୱାଳ ) : ଗତକାଲି ଅପରାହ୍ନରେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଦୁଇ ଭାଇଙ୍କ ସମେତ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ସମଗ୍ର ବଞ୍ଚୋ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆନନ୍ଦପୁର ଡାକ୍ତରଖାନାରେ ଶବବ୍ୟବଚ୍ଛେଦ ହେବାପରେ ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଶବକୁ ବଞ୍ଚୋ ଗ୍ରାମକୁ ଅଣାଯିବା ପରେ ଏକ ଶୋକାକୁଳ ପରିବେଶରେ ଦୁଇ ଭାଇଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମୃତ ପ୍ରଭୁଦତ୍ତ ଓ ପ୍ରଭଞ୍ଜନ ବାପା ମାଙ୍କର ଦୁଇ ସନ୍ତାନ ହୋଇଥିବାବେଳେ ତାଙ୍କ ମୃତ୍ୟୁପରେ ପୂତ୍ରଶୁନ୍ୟ ହୋଇପଡିଛି ପରିବାର । ସମସ୍ତେ ଅବାକ ଓ ନିର୍ବାକ ହୋଇଯାଇଛନ୍ତି ଏପରି ଦୁର୍ଘଟଣାରେ । ଅତି ଶାନ୍ତ ସରଳର ଦୁଇ ପୁଅକୁ ହରାଇ ବାପା ମା ବାକଶୁନ୍ୟ ହୋଇ ପଡିଥିବାବେଳେ ସମଗ୍ର ଗ୍ରାମର ଲୋକମାନେ ସ୍ତମ୍ବିଭୂତ ହୋଇ ପଡିଛନ୍ତି । ଆଜି ଅପରାହ୍ନରେ ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ ପ୍ରମୁଖ ତାଙ୍କ ଘରେ ପହଞ୍ଚି ବାପା ପ୍ରଭାତ ବିଶ୍ୱାଳ ଓ ମା ମନୋରମା ବିଶ୍ୱାଳଙ୍କୁ ଭେଟି ସମବେଦନା ଜଣାଇବା ସହ ସଂସ୍କାର କାର୍ଯ୍ୟ ପାଇଁ ରେଡକ୍ରସରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।