ଶୌଚାଳୟ ଅଛି, ପାଣି ନାହିଁ , ହନ୍ତସନ୍ତ ଲୋକେ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ୧୩ ନଂ ଓାର୍ଡରେ ଥିବା ଗୋଷ୍ଠୀ ଶୌଚାଳୟରେ ପାଣି ନଥିବାରୁ ଓାର୍ଡବାସୀ ଶୌଚାଳୟ ବ୍ୟବହାରରୁ ବଂଚିତ ହେଉଛନ୍ତି । ଶୌଚାଳୟ ପରିବର୍ତେ ଖୋଲାରେ ଶୌଚ ହେଉଛନ୍ତି । ସ୍ଥାନୀୟ ଅଂଚଳର ମହିଳା ସିତୀନି ପାତ୍ର, ମିନୁ ସୁତାରୀ ଓ ସୁତମାସୀ ସୁତାରୀ ଅଭିଯୋଗ କରି କହିଛନ୍ତି ଯେ, ଶୌଚାଳୟ ୨୦୧୮ ମସିହାରେ ଜାକଜକମର ସହିତ ଉଦଘାଟନ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣର ଅବହେଳା ଓ ପୌରପାଳିକାର ଅଣଦେଖା ହେତୁ ଶୌଚାଳୟଟି ପାଣି ବିନା ବ୍ୟବହାର ଅନୁପଯୋଗୀ ହୋଇ ପଡିରହିଛି । ପାଣି ନଥିବାରୁ ବାହାରକୁ ଶୌଚ ପାଇଁ ଯିବାକୁ ପଡୁଛି । ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ଜାକଜମକରେ ଉଦଘାଟନ ହୋଇଥିଲେ ମଧ୍ୟ ପାଣି ବିନା ଏହା ଥରୁଟିଏ ବ୍ୟବହାର ହୋଇନାହିଁ । ଏନେଇ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଙ୍କୁ ପଚାରିବାରୁ ସେ ଜଣାଇଛନ୍ତି ଯେ, ଅଂଚଳବାସୀ ବିଦ୍ୟୁତବିଲ୍ ପୈଠ କରିନଥିବାରୁ ସେଠାରେ ବିଦ୍ୟୁତକାଟ୍ ହୋଇଛି । ତେବେ ଗୋଷ୍ଠୀ ଶୌଚାଳୟକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଧାସଳଖ ଜଳ ଯୋଗାଣ କରାଯାଇ ଅବିଳମ୍ବେ ଏହାକୁ କାର୍ଯ୍ୟକାରୀ କରାଯିବ ।