ଶ୍ରମିକ ଧାରଣା ୨୩ ଦିନରେ;କମ୍ପାନୀ ଫାଟକ ଆଗରେ ଛଟେଇ ଶ୍ରମିକଙ୍କ ଧାରଣା ଜାରି
ଯୋଡା,(ସମୀର କୁମାର ଦାସ): ନର୍ଭରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀ (ରଇଡା ୨) ଲୌହ ଖଣିରେ କେନ୍ଦୁଝର ମାଇନିଂ ଫରେଷ୍ଟ ୱାର୍କରସ ୟୁନିୟନ ପକ୍ଷରୁ ଦିଆଯାଇଥିବା ଛଟେଇ ଶ୍ରମିକଙ୍କ ଧାରଣା ୨୩ ଦିନରେ ପହଞ୍ଚିଛି । ଧୁଳିଧୂଆଁ, ଶୀତ କାକରକୁ ତିଳେ ହେଲେ ଖାତିର ନକରି ରୋଜଗାର ହରାଇଥିବା ଶ୍ରମିକ ମାନେ ଭୋକ ଉପାସରେ କମ୍ପାନୀ ଫାଟକ ଆଗରେ ନିଯୁକ୍ତି ଦାବି ନେଇ ପଡିରହିଛନ୍ତି । ଚଳିତ ବର୍ଷ ସରକାରଙ୍କ ନୂତନ ଲିଜ ପ୍ରକ୍ରିୟାରେ ଟଣ୍ଟୋ ସ୍ଥିତ ଲୌହ ଖଣି କେ.ଏନ ରାମ କମ୍ପାନୀ ଠାରୁ ନୂତନ ମାଲିକ ନର୍ଭରାମ ଏଣ୍ଡ ଷ୍ଟିଲ କମ୍ପାନୀ ହାତକୁ ହସ୍ତାନ୍ତରିତ ହେବା ପରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପାଇଁ ନୂତନ ଲିଜଧାରୀ ନାଁ ଧରୁନାହିଁ । ଫଳରେ ୩୦୦ରୁ ଉର୍ଦ୍ଧ ସ୍ଥାନୀୟ ଯୋଡା-ବଡବିଲ ଅଞ୍ଚଳର ଶ୍ରମିକ ଓ କର୍ମଚାରୀ ନିଜର ସ୍ଥାୟୀ ଜୀବିକା ହରାଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଅନ୍ୟପକ୍ଷେ ଛଟେଇ ଶ୍ରମିକଙ୍କୁ ଅଣଦେଖା କରି ନୂଆ ଲୋକଙ୍କୁ ନେଇ କମ୍ପାନୀ ନଭେମ୍ବର ପହିଲାରୁ ଖଣିକାର୍ଯ୍ୟ ଆରମ୍ଭ କରିଛି ଯାହାକି ଶ୍ରମିକ ଅଶାନ୍ତି ଉଗ୍ରରୂପ ନେଇଛି । ପ୍ରଶାସନ କିମ୍ବା ଖଣି କମ୍ପାନୀ ଏଯାବତ ଧାରଣା ସ୍ଥଳକୁ ଅସି ଶ୍ରମିକ କିମ୍ବା ୟୁନିୟନ ର କର୍ମକର୍ତ୍ତାଙ୍କ ସହ ପୁନଃ ନିଯୁକ୍ତି ସମ୍ବନ୍ଧେ କୌଣସି ଆଲୋଚନା ହୋଇନଥିବାବେଳେ ଏହା ଶ୍ରମିକ ମାନଙ୍କ ପ୍ରତି ଅତ୍ୟାଚାର ବୋଲି କୁହାଯାଇଛି । ତେବେ ଏହି ଧାରଣା ଅଗକୁ ଜୋରଦାର ହେବା ସହିତ ଶ୍ରମିକ ମାନଙ୍କ ହକ ପାଇଁ ଲଢେଇ ଜାରି ରହିବ ବୋଲି ଶ୍ରମିକନେତା ତଥା କେଏମଏଫ୍ଡବ୍ଲୁ ୟୁନିୟନର ସାଧାରଣ ସମ୍ପାଦକ ମହେଶ୍ୱର ରାଉତ କହିଛନ୍ତି । ଏହି ଧାରଣାକୁ ସଫଳତାର ସହ ପରିଚାଳନା କରୁଥିବା ଶ୍ରମିକ ୟୁନିୟନର ସମ୍ପାଦକ କପିଳ ମହାନ୍ତି,ଶ୍ରମିକ ନେତା ରାଜେନ୍ଦ୍ର ମାଟିଆ,ତପନ ବାରିକ,କାହ୍ନୁ ଦଳବେହେରା,ଶଶିଭୂଷଣ ବେହେରା, ମାନସ ଖଣ୍ଡା ପ୍ରମୁଖ ଥିବା ଜଣାପଡିଛି ।