ଶ୍ରମିକ ସଂଘ ବିରୋଧ ଯୋଗୁଁ କୋରୋନା ସଂକ୍ରମଣରେ ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ
ପାରାଦ୍ୱୀପ,(ପୀତବାସ ପ୍ରଧାନ): ପାରାଦ୍ୱୀପ ପିପିଏଲ୍ ସାର କାରଖାନାରେ ୨ଜଣ ଶ୍ରମିକଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିବାର ଅଭିଯୋଗରେ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନ(ଏଫସିଆଇ) ଶ୍ରମିକ ସଂଘ ମୃତ ଶ୍ରମିକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀରେ ଶୁକ୍ରବାର ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏ ବାବଦରେ ସମାଧାନ ପାଇଁ ଶନିବାର ଦିନ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଜରୁରୀ କାଳୀନ ବୈଠକ ବସିଥିଲା । ଏଥିରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡା. କାହ୍ନୁଚରଣ ଧିରଙ୍କ ଅଧ୍ୟକ୍ଷକ୍ଷତାରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଡିଭିଜନାଲ ଲେବର କମିଶସନର କୁମୁଦ ରଞ୍ଜନ ଦାସ, ପାରାଦ୍ୱୀପ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ଙ୍କ ସମତେ ପିପିଏଲ ଜିଏମ୍ ଜଗନ୍ନାଥ ଖୁଣ୍ଟିଆ, ଓଏସ୍ଏଲ୍ ଜିଏମ୍ (ଏଚ୍ଆର୍) ବି.କେ.ଓଝା, ଏଫ୍ସିଆଇ ୟୁନିୟନର ସାଧାରଣ ସଂପାଦକ ସନାତନ ବେହେରା, ଉପଦେଷ୍ଟା ଉତ୍ସବ ସ୍ୱାଇଁ, ଯୁଗ୍ମ ସଂପାଦକ ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ରହି ମୃତ ଶ୍ରମିକଙ୍କ ଆର୍ଥିକ ସହାୟତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏଥିରେ ଏଫ୍ସିଆଇ ୟୁନିୟନର ପ୍ରତିନିଧିମାନେ କୋରୋନାରେ ମୃତ୍ୟୁ ପାଇଁ ପାରାଦ୍ୱୀପ ବନ୍ଦର ତାର କର୍ମଚାରୀ ମାନଙ୍କୁ ୫୦ଲକ୍ଷ ଟଙ୍କା ଓ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଜନିତ ମୃତ୍ୟୁରେ ପ୍ରତ୍ୟକ ଙ୍କୁ ୫ରୁ ୧୦ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଘୋଷଣାର ନଜିର ରଖିଥିଲେ । ଶେଷରେ ପିପିଏଲ୍ କର୍ତ୍ତୃପକ୍ଷ କୋରୋନାରେ ମୃତ୍ୟୁ ଶ୍ରମିକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ସହ କୋରୋନା ପିଡିତଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବାର ଷୋଷଣା କରିଥିଲେ । ଏତଦ୍ ବ୍ୟତୀତ ସମସ୍ତ ଶ୍ରମିକଙ୍କ ସଙ୍ଗରୋଧ ଜନିତ ଖର୍ଚ୍ଚ, ମାସ୍କ, ସାନିଟାଇଜର, ସାବୁନ ଇତ୍ୟାଦି ନିୟମିତ ବ୍ୟବଧାନରେ କମ୍ପାନୀ ଯୋଗାଇଦେବାର ପ୍ରତିଶୃତି ଦେଇଥିଲା ।