ଶ୍ରମ ଆଇନ୍କୁ କାର୍ଯ୍ୟକାରୀ କରିବା ଦାବିରେ ଜିଲ୍ଲା ଶ୍ରମଦପ୍ତରକୁ ଧାରଣାରେ ଅଚଳକଲେ ଶ୍ରମିକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଶ୍ରମଦପ୍ତରକୁ ଗୁରୁବାର ଦିନ ଘେରାଉ କରି ରଖିଥିବା ଶ୍ରମିକମାନେ ଅପରାହ୍ନ ୪ଟାବେଳେ ଡି.ଏଲ୍.ସି.ଙ୍କ ସହ ଶ୍ରମିକ ସଂଗଠନମାନଙ୍କର ଏକ ରାଜିନାମା ପରେ ଧାରଣାରୁ ଓହରିଯିବାରୁ ଅଫିସ୍ କାର୍ଯ୍ୟ ସ୍ୱାଭାବିକ ହୋଇଛି । ବାଲେଶ୍ୱର ଟ୍ରେଡ୍ ୟୁନିୟନ୍ ଆସୋସିଏସନ୍ କୋର୍ଡ଼ିନେସନ୍ କମିଟି (ଟିୟୁଏସିସି) ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ସଂଘମାନଙ୍କର ମିଳିତ ମଞ୍ଚ ଓ ନିର୍ମାଣ ଶ୍ରମିକ ସଂଘମାନଙ୍କ ପକ୍ଷରୁ ଏକ ମିଳିତ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରୁ ବାହାରି ଜିଲ୍ଲା ଶ୍ରମ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରି ଗଣଧାରଣାରେ ବସିଥିଲେ । ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଆଇଏନ୍ଟିୟୁସି ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା ଓ ବାସନ୍ତି ସାମଲ, ଏଆଇଟିୟୁସି ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଓ ସଂପାଦକ ଶ୍ୟାମସୁନ୍ଦର ଜେନା, ଏଚ୍.ଏମ୍.ଏସ୍ର ନେତା ପୀତାମ୍ବର ମାଝୀ, ଟିୟୁସିସିର ସଭାପତି ସର୍ବେଶ୍ୱର ମିଶ୍ର, ସି.ଆଇ.ଟି.ୟୁ ନେତା ପ୍ରେମରଂଜନ ପାତ୍ର, ଶିଳ୍ପ ଶ୍ରମିକନେତା ଗୋପୀନାଥ ଦାସ, ସମବାୟ ବ୍ୟାଙ୍କ୍ କର୍ମଚାରୀ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଓ ଜଳଧର ପଣ୍ଡା, ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସଭାପତି ବିକାଶ ଦାସ ଓ ସଂଜୟ ସାମଲ ପ୍ରମୁଖ ବିକ୍ଷୋଭ ସ୍ଥଳରେ ବାଲେଶ୍ୱର ଶ୍ରମି ଅଫିସ୍ରେ ଡିଏଲ୍ସି ଓ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଗ୍ରାଚ୍ୟୁଇଟି ଓ ଶ୍ରମିକ କ୍ଷତିପୂରଣ ଆଇନ୍ ଏବଂ ନିର୍ମାଣ ଶ୍ରମିକମାନଙ୍କ କାର୍ଯ୍ୟ ହୋଇପାରୁ ନଥିବାର ସେମାନେ ଅଭିଯୋଗ କରି ଜିଲ୍ଲା ଶ୍ରମ ଦପ୍ତରରେ ଦଲାଲି ଓ ଦୁର୍ନୀତି ବନ୍ଦ କରିବାକୁ ଦାବି କରିଥିଲେ ।ଅପରାହ୍ନରେ ବାଲେଶ୍ୱର ଡିଏଲ୍ସି ଦାୟିତ୍ୱରେ ଥିବା ସଚ୍ଚିଦାନନ୍ଦ ଜେନା, ଜିଲ୍ଲା ଶ୍ରମ ଅଫିସର୍ ଶିବନାରାୟଣ ସାହୁ ଓ ସହକାରୀ ଶ୍ରମ ଅଫିସର ଦୀପ୍ତିରଞ୍ଜନ ସାହୁଙ୍କ ସହ ଆନ୍ଦୋଳନକାରୀ ଶ୍ରମିକନେତାମାନଙ୍କର ଦୀର୍ଘ ଆଲୋଚନା ପରେ ବିଭିନ୍ନ ଶ୍ରମ ଆଇନ୍କୁ କାର୍ଯ୍ୟକାରୀ କରୁ ନଥିବା ଶିଳ୍ପସଂସ୍ଥାମାନଙ୍କରେ ଆସନ୍ତା ୧୦ ଦିନ ମଧ୍ୟରେ ଶ୍ରମବିଭାଗ ତଦନ୍ତ କରି ଶ୍ରମିକମାନଙ୍କୁ ଆଇନଗତ ନ୍ୟାୟ ପ୍ରଦାନ କରିବା ଓ ସ୍ଥାୟୀ ଡିଏଲ୍ସି ଏବଂ ଶ୍ରମଦପ୍ତରରେ ସମସ୍ତ ଖାଲିଥିବା ପଦବୀ ତୁରନ୍ତ ପୂରଣ କରି ଦୀର୍ଘଦିନ ଧରି ପଡ଼ିରହିଥିବା ଗ୍ରାଚ୍ୟୁଇଟି ଓ ଶ୍ରମିକ କ୍ଷତିପୂରଣ ସଂପର୍କୀୟ ମୋକଦ୍ଦମାଗୁଡ଼ିକ ଶେଷ କରିବାକୁ ଲିଖିତଭାବେ ସରକାର ଏବଂ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ, ସହାୟତା ରାଶି ପ୍ରଦାନ ପାଇଁ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି ।ଶୋଭାଯାତ୍ରା, ବିକ୍ଷୋଭ ଓ ଶ୍ରମଦପ୍ତର ଘେରାଉ ଆନ୍ଦୋଳନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଶ୍ରୀ ହରେକୃଷ୍ଣ ବିନ୍ଧାଣୀ, ସୁବ୍ରତ ପଣ୍ଡା, ଶରତ ଚନ୍ଦ୍ର ଦଳାଇ, ଲମ୍ବୋଦର ଜେନା, ପଦ୍ମଲୋଚନ ନାୟକ, ଭରତ ଚନ୍ଦ୍ର ସେଠୀ, ସୁରେନ୍ଦ୍ର ଲେଙ୍କା, ପ୍ରଦୀପ୍ତ କର, କାର୍ତ୍ତିକ ବେହେରା, ଅତୁଲ ଜେନା, ଜ୍ଞାନରଂଜନ ବେହେରା, ସୁଧାଂଶୁବାଳା ମହାପାତ୍ର, ପ୍ରଶାନ୍ତ ଦାସ, ହରିହର ଆଚାର୍ଯ୍ୟ, ନରେନ୍ଦ୍ର ବିହାରୀ ଓ ପୁରସ୍ତମ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।