ଶ୍ରୀକ୍ଷେତ୍ରେ ବାହୁଡ଼ାଯାତ୍ରା

ଅଧୁନା ଶ୍ରୀକ୍ଷେତ୍ର ବ୍ୟତୀତ ଓଡ଼ିଶା ତଥା ଭାରତ ଭୂଖଣ୍ଡ ଏବଂ ବିଦେଶର ବହୁସ୍ଥାନରେ ରଥଯାତ୍ରା ହୁଏ । ତେବେ ରଥଯାତ୍ରା କହିଲେ ପୁରୀ ବା ଶ୍ରୀକ୍ଷେତ୍ରର ରଥଯାତ୍ରାକୁ ବୁଝାଏ । ଏହାହିଁ ବିଶ୍ୱ ପ୍ରସିଦ୍ଧ । ରଥଯାତ୍ରାର ଭିନ୍ନ ନାମଗୁଡ଼ିକ ହେଲା : ଘୋଷଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ନବଦିନ ଯାତ୍ରା, ପତିତପାବନ ଯାତ୍ରା, ଆଡ଼ପ ମଣ୍ଡପ ଯାତ୍ରା ଏବଂ ମହାବେଦୀ ବା ଜନ୍ମବେଦୀ ଯାତ୍ରା । ପ୍ରତ୍ୟେକଟିର ନାମ କରଣର ଯଥାର୍ଥତା ମଧ୍ୟ ଅଛି । ଏହାକୁ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ପ୍ରଚଳନ କରିଥିବାରୁ ଏହାକୁ ସର୍ବସାଧାରଣରେ ଶ୍ରୀଗୁଣ୍ଡିଚା ବୋଲି ମଧ୍ୟ କୁହନ୍ତି । ଏହି ଯାତ୍ରାରେ ଜିଉମାନେ ଅର୍ଥାତ୍ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଶ୍ରୀ ନ୍ଦିରରୁ ଗୁଣ୍ଡିଚା ମନ୍ଦିର ବା ଆଡ଼ପମଣ୍ଡପକୁ ବିଜେ କରନ୍ତି । ଏହି ନବଦିନ ବ୍ୟାପୀ ଯାତ୍ରାରେ ଆଷାଢ଼ ଶୁକ୍ଲ ୨ୟା ଦିନ ଜିଉମାନେ ଶ୍ରୀ ମନ୍ଦିରରୁ ରଥଯୋଗେ ଯାଇ ଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାବାଲି ଉପରେ ରଥରେ ରାତ୍ରିଯାପନ କରନ୍ତି ଏବଂ ତା’ ପରଦିନ ଯଥାବିଧି ପୂର୍ବକ ଆଡ଼ପ ମଣ୍ଡପକୁ ବିଜେ କରନ୍ତି । ସେଠାରେ ସେମାନେ ସାତଦିନ ଅବସ୍ଥାନ କରନ୍ତି ଅର୍ଥାତ୍ ଆଷାଢ଼ ଶୁକ୍ଲ ତୃତୀୟା ଠାରୁ ନବମୀ ଯାଏଁ ସେଠାରେ ରୁହନ୍ତି । ଦଶମୀଦିନ ପୁନର୍ବାର ଗୁଣ୍ଡିଚାମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବିଜେ କରନ୍ତି ଏବଂ ସିଂହଦ୍ୱାର ଉପକଣ୍ଠେ ପରବର୍ତ୍ତୀ ଦୁଇ ଦିନ ପାଇଁ ଅଟକନ୍ତି ଏବଂ ତ୍ରୟୋଦଶୀ ଦିନ ଶ୍ରୀ ମନ୍ଦିରକୁ ବିଜେ କରନ୍ତି । ଏହି ପ୍ରତ୍ୟାବର୍ତ୍ତନ ଯାତ୍ରାକୁ ବାହୁଡ଼ାଯାତ୍ରା କୁହନ୍ତି । ଶ୍ରୀ ଗୁଣ୍ଡିଚା ଯାତ୍ରାପରି ଶ୍ରୀମନ୍ଦିର ଯାତ୍ରା ନିମନ୍ତେ କିଛି ବିଧି ନିଶ୍ଚିତ କରାଯାଇଛି । ତାହାକୁ ଯାତ୍ରା ସମୟରେ ପାଳନ କରିବାକୁ ହୁଏ । ଆଷାଢ଼ ଶୁକ୍ଲ ଦଶମୀଦିନ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ଶୁଭଦ୍ରାଙ୍କର ପ୍ରାତଃ କର୍ମ ଇତ୍ୟାଦି ପ୍ରଥମେ ସାରି ଦିଆଯାଏ । ଏହାକୁ ଚାରବନ୍ଧା ଏବଂ କୁସୁମ ଲାଗିନୀତି କୁହନ୍ତି । ଏହାପରେ ଜିଉମାନଙ୍କର ଆରତି ଶେଷକରି ମଇଲମ ଲାଗି ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ନୀତିକର୍ମାଣି ସଂପନ୍ନ କରାଯାଏ । ଏଥୁଅନ୍ତେ ଖେଚୁଡ଼ି ଭୋଗ ପରେ ‘ସେନାପଟାଲାଗି’ ନାମକ ଏକ ଗୁପ୍ତନୀତି କରାଯାଏ । ତହିଁ ଉତ୍ତାରୁ ମାଲ୍ୟାର୍ପଣ ପୂର୍ବକ ଜିଉମାନଙ୍କର ଧାଡ଼ିପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୁଏ । ଶ୍ରୀ ଗୁଣ୍ଡିଚା ଯାତ୍ରାପରି ହରିବୋଲ, ହୁଳହୁଳି, ଘଣ୍ଟ, ମର୍ଦ୍ଦଳ ଓ ଶଙ୍ଖଧୂନି ସହ ଜିଉମାନଙ୍କର ରଥ ଉପରକୁ ବିଜେହୁଏ । ତା’ପରେ ଶ୍ରୀ ଗଜପତି ମହାରାଜା ତାଙ୍କର ଛେରା ପହଁରା କାର୍ଯ୍ୟ ସମାପନ କରନ୍ତି । ଏହାପରେ ଚାରମାଳ ଫିଟାଯାଏ; ରଥରେ ଘୋଡ଼ା ଯୋଡ଼ା ହୁଅନ୍ତି ଏବଂ ଦଉଡ଼ି ବନ୍ଧାଯାଏ । ଟଣାଯାଏ ରଥ । ଶ୍ରୀ ଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ୱାର ଅର୍ଥାତ୍ ଶ୍ରୀମନ୍ଦିର ଯାଏଁ ଯାତ୍ରାବେଳେ ଜିଉମାନଙ୍କର ରଥ ବଡ଼ ଦାଣ୍ଡର ବିଭିନ୍ନସ୍ଥାନରେ ଅଟକି ଥାଆନ୍ତି । ସେସବୁ ଜାଗାଗୁଡ଼ିକରେ ମଠ, ମନ୍ଦିର, ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଦ୍ୱାରା ପାରମ୍ପରିକ ଭାବେ ଚଳି ଆସୁଥିବା ନାନା ଭୋଗ,, ରୀତି, ନୀତି କରାଯାଇଥାଏ । ମାଉସୀ ମା’ ମନ୍ଦିର ଠରେ ରଥାରୁଢ଼ ଜିଉମାନଙ୍କୁ ପୋଡ଼ପିଠା ଅର୍ପଣ କରାଯାଏ । ଶ୍ରୀ ବଳଭଦ୍ରଙ୍କର ରଥ ତାଳଧ୍ୱଜ ଏବଂ ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ସିଧାସଳଖ ଶ୍ରୀମନ୍ଦିର ସିଂହଦ୍ୱାରକୁ ବିଜେ କଲାବେଳେ, ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗଜପତିଙ୍କ ନଅର ସାମନାରେ କିଛି ସମୟ ଅଟକି ଯାଆନ୍ତି । ସେଠାରେ ଗଜପତିଙ୍କ ସହାୟତାରେ ଶ୍ରୀମନ୍ଦିରରୁ ବିଜେ କରିଥବା ମହାଲକ୍ଷ୍ମୀଙ୍କ ସହିତ ଭେଟ କରାନ୍ତି ଅର୍ଥାତ୍ ଲକ୍ଷ୍ମୀ ନାରାୟଣ ଭେଟ ହୁଏ । ଏହାପରେ ରଥ ଟଣାଯାଏ ସିଂହଦ୍ୱାର ସାମ୍ନାକୁ । ସେଦିନ ଜିଉମାନଙ୍କର ମନ୍ଦିର ବିଜେ ହୁଏ ନାହିଁ । ଅଥଚ ରଥ ଟଣାକାର୍ଯ୍ୟ ଅର୍ଥାତ୍ ରଥଯାତ୍ରା ସେଠି ଶେଷ ହୁଏ । ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ହରିଶୟନ ଏକାଦଶୀ ପାଳିତ ହୁଏ । ଏହି ଦିନ ଜିଉମାନଙ୍କର ବଡ଼ତଡ଼ାଉ ସୁନାବେଶ ହୁଏ । .. ଜିଉମାନଙ୍କର ଏହି ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତମାନଙ୍କର ସମାଗମ ହୁଏ । ଏହିଦିନ ମଧ୍ୟ ଠାକୁରମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ଅଛି; ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ମହାସ୍ନାନ ଓ ମଧ୍ୟାହ୍ନ ଧୂପ, ଶାଢ଼ି ଖଣ୍ଡୁଆଲାଗି ଏବଂ ସଂଧ୍ୟା ଆଳତୀ ଇତ୍ୟାଦି ମୁଖ୍ୟ । ଏହାପରେ ନିର୍ଦ୍ଦିଷ୍ଟ ସେବାୟତ ଯଥା ପାଳିଆ, ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳିଛ ଓ ଭିତରଛ ମହାପାତ୍ର ଇତ୍ୟାଦିଙ୍କ ଦ୍ୱାରା ଜିଉମାନଙ୍କୁ ସୁନାବେଶ କରାଯାଏ । । ଏହି ବେଶରେ ଶ୍ରୀ ଜଗନ୍ନାଥଙ୍କର ଅଳଙ୍କାର ଯଥାକ୍ରମେ : ଶ୍ରୀ ପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, କାନ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାବଣ୍ଟି, ସ୍ୱର୍ଣ୍ଣଚନ୍ଦ୍ର ଓ ରୌପ୍ୟଶଙ୍ଖ, ହରିଡା଼ମାଳି, ବାହାଡ଼ାମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମର ପଟି ପ୍ରଭୃତି ଅଳଙ୍କାରରେ ଲାଗି ହୁଅନ୍ତି । ସେହିପରି ଶ୍ରୀ ବଳଭଦ୍ର ତାଙ୍କ ଅଳଙ୍କାରରେ : ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ଆଡ଼ିକାନି, ଘାଗଡ଼ାମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳମୂଷଳ, ବାହାଡ଼ାମାଳି, ବାଘନାଖି ମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମର ପଟି ପ୍ରଭୃତି ଅଳଙ୍କାରେ ଭୂଷିତ ହୁଅନ୍ତି ଏବଂ ମା’ ସୁଭଦ୍ରା : କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ାମାଳି, ତଗଡ଼ି ଓ ସେବତୀମାଳି ଇତ୍ୟାଦି ଲାଗିହୁଅନ୍ତି । ଏ ସମସ୍ତ ଅଳଙ୍କାରରେ ଜିଉମାନେ ଅପରୂପ ସୌନ୍ଦର୍ଯ୍ୟରେ ଚମତ୍କୃତ କରନ୍ତି । ଏ ଶୋଭା ଅବର୍ଣ୍ଣନୀୟ । ଏହି ବେଶରେ ଜିଉମାନଙ୍କର ଦର୍ଶନ ସଂଧ୍ୟା ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଚାଲେ । ଅବଶ୍ୟ ଏହା ପ୍ରଶାସନର ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥାଏ ।  ମହାପ୍ରଭୁଙ୍କର ୨୪ଟି ବେଶ ମଧ୍ୟରୁ ବର୍ଷକୁ ୫ଥର ସୁନାବେଶ ହୁଏ । ୪ଥର ରତ୍ନସିଂହାନରେ ଏବଂ ଗୋଟିଏଥର ଯାହାକି ହରିଶୟନ ଏକଦଶୀ ଦିନ ବାହୁଡ଼ାଯାତ୍ରା ବେଳେ ବଡ଼ଦାଣ୍ଡରେ ଭକ୍ତମାନଙ୍କର ଦର୍ଶନପାଇଁ ସମାହିତ କରାଯାଇଥାଏ । ଏହି ସୁନାବେଶ ୧୨୩୨ ଖ୍ରୀଷ୍ଟାବ୍ଦରୁ ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରଚଳିତ ଅଛି । ଶୁଣାଯାଏ୧୪୬୦ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଜୟକରି ଅନେକ ଧନରତ୍ନ ଶ୍ରୀକ୍ଷେତ୍ରକୁ ଆଣିଥିଲେ । ସେଥିରୁ ଅନେକ ଗହଣା ଜିଉମାନଙ୍କ ଉଦ୍ଦେଶ୍ୟରେ ସେ ବ୍ୟବହାର କରାଇଥିଲେ । ଦ୍ୱାଦଶୀ ତିଥିରେ ଜିଉମାନଙ୍କ ପାଇଁ ଏକ ବିଶେଷ ଆୟୋଜନ ହୋଇଥାଏ । ତାହା ହେଉଛି ଅଧରପଣା । ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ପ୍ରଶାସନ ତରଫରୁ ଏଥିପାଇଁ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଓ ପାଣି ମିଶାଇ ଏକ ସୁଗନ୍ଧିତ ପଣା ମହାସୁଆରମାନେ ତିଆରି କରନ୍ତି । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ, ଗରାବଡ଼ୁ ଓ ପାଳିଆ ସେବକମାନେ ରଥଗୁଡ଼ିକ ଉପରେ ପୂଜାଠା’ କରନ୍ତି । ଭୋଗପରେ ଏ ପଣାହାଣ୍ଡି ଗୁଡ଼ିକ ରଥଉପରେ ପାଶ୍ୱର୍ଦେବତା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଭାଙ୍ଗିଦିଆଯାଏ । ତ୍ରୟୋଦଶୀଦିନ ରଥଉପରେ ଯଥାରୀତି ଠାକୁରଙ୍କ ନୀତି ସମାପନ ପରେ ଜିଉମାନଙ୍କୁ ଗୋଟି ପହଣ୍ଡିରେ ନିଳାଦ୍ରୀ ବିଜେ କରାଯାଏ । ବଳଭଦ୍ର ଓ ସୁଭଦ୍ରା ସିଧାସଧା ନିଜ ସ୍ଥାନକୁ ଗଲାବେଳେ ଜଗନ୍ନାଥଙ୍କୁ ମହାଲକ୍ଷ୍ମୀ ବାଟରେ ଦ୍ୱାର କିଳି ଦିଅନ୍ତିି । ଏହାତାଙ୍କର ଜଗନ୍ନାଥ ପ୍ରତି ରାଗ ତଥା ଅଭିମାନର ପ୍ରଭାବ । ତା’ପରେ ଗୁଡାଏ ଜବାବ୍ ସୁଆଲ ପରେ ଲକ୍ଷ୍ମୀ ଜଗନ୍ନାଥଙ୍କୁ ମନ୍ଦିର ପ୍ରବେଶକୁ ଅନୁମତି ଦିଅନ୍ତି । କଥିତ ଅଛି ଏଥିପାଇଁ ଲକ୍ଷ୍ମୀଙ୍କ ତରଫରୁ ଦେବଦାସୀ ଓ ପ୍ରଭୁଙ୍କ ତରଫରୁ କୌଣସି ସେବାୟତଙ୍କ ମାଧ୍ୟମରେ ନାନା ବାକ୍ବିତଣ୍ଡା ହୁଏ ।  ଶ୍ରୀ ଜଗନ୍ନାଥ ସିଂହାସନ ବିଜେପରେ ବାହୁଡ଼ାଯାତ୍ରା ତଥା ନିଳାଦ୍ରୀ ବିଜେର କାର୍ଯ୍ୟକ୍ରମ ସମାପନ ହୁଏ । ଜିଉମାନେ ଦୀର୍ଘ ୧୧ଦିନ ପରେ ମନ୍ଦିର ଫେରିଥାନ୍ତି । ପୁଣି ମନ୍ଦିର ଚଳଚଞ୍ଚଳ ଏବଂ ମୁଖରିତ ହୋଇଉଠେ ।

ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ