ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଦାବି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଯଥାକ୍ରମେ ୨୫୬, ୬୪ ଓ ୩୨ ଛାତ୍ରଛାତ୍ରୀ ଅଧୟନ କରନ୍ତି । ହେଲେ ଏଠାରେ ବହୁ ଶିକ୍ଷକ ପଦବୀ ଖାଲି ରହିଛି. ଖାଲି ପଡିଥିବା ପଦବୀ ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି. ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକ ଓ କର୍ମଚାରୀ ନାହାନ୍ତି । ବର୍ତ୍ତମାନ ପଦାର୍ଥ ବିଜ୍ଞାନ, ଅର୍ଥନୀତି, ଆଇ ଆର ପି ଏମ୍ , ରାଜନୀତି ବିଜ୍ଞାନ, କମ୍ପ୍ୟୁଟର ଟେକନିକ୍, ଡାଏରୀ ଫାର୍ମ ଟ୍ରେଡ୍ ଅଧ୍ୟାପକ ପଦବୀ ଖାଲି ପଡିଛି । ସେହିପରି କିରାଣୀ, ପି ଇ ଟି, ଲାଇବ୍ରେରିଆନ୍, ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀରେ କେହି ନଥିବା ବେଳେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଭାଗରେ ଡେମୋନଷ୍ଟ୍ରେଟର ନାହାନ୍ତି । ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ବି ନିକଟ ଭବିଷ୍ୟତରେ ଅବସର ଗ୍ରହଣ କରିବେ । ଏତେ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡିଥିବା ବେଳେ ପାଠପଢ଼ା ଓ ଆନୁସଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ କିପରି ସୁଚାରୁ ରୂପେ ସମ୍ପନ୍ନ ହୋଇ ପାରିବ ଓ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ଘଟିବ ତାକୁ ନେଇ ପ୍ରଶ୍ନ ଉଠିଛି । ତୁରନ୍ତ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ପାଇଁ ସ୍ଥାନୀୟ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଦାବି ରଖିଛନ୍ତି । ଘଟଣା ନେଇ ଅଧକ୍ଷ ନବକୃଷ୍ଣ ସାହୁକାର କହିଛନ୍ତି ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ପାଇଁ ପ୍ରଶାସନ ସମେତ ବିଭାଗ କର୍ମକର୍ତ୍ତାଙ୍କୁ ଜଣାଇ ଦିଆଯାଇଛି.