ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଆଡ଼ପମଣ୍ଡପ ବା ଗୁଣ୍ଡିଚା ମନ୍ଦିର
ସନ୍ତୋଷ କୁମାର ଦାଶ
ଶ୍ରୀ ନୀଳାଚଳ କ୍ଷେତ୍ର ପୁରୀ ର ଅନ୍ୟତମ ପୁଣ୍ୟ ସ୍ଥାନ ହେଉଛି ଶ୍ରୀ ଗୁଣ୍ଡିଚା ମନ୍ଦିର ବା ଆଡ଼ପ ମଣ୍ଡପ। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଓ ଲୋକ ସାହିତ୍ୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ମହାବେଦୀ, ଯଜ୍ଞବେଦୀ, ଗୁଣ୍ଡିଚା ମଣ୍ଡପ, ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର, ରାସ ମଣ୍ଡପ ଆଦି ନାମ ରେ ଭାବ ରେ ବର୍ଣ୍ଣନା କରାଯାଇଛି। ‘ସ୍କନ୍ଦ ପୁରାଣ’ ଅନୁସାରେ ଯଜ୍ଞବେଦୀ ଓ ତାର ସନ୍ନିକଟ ସ୍ଥାନ ନୃସିଂହ କ୍ଷେତ୍ର ରୂପେ ବିଦିତ। ଆଡ଼ପ ମଣ୍ଡପ ନୃସିଂହ କ୍ଷେତ୍ରର ପରିସର ଭୁକ୍ତ। ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଚତୁର୍ଦ୍ଧା ବିଗ୍ରହଙ୍କର ପ୍ରଥମ ଅଧିଷ୍ଠାନ ସ୍ଥଳ। ଗୁଣ୍ଡିଚା ମନ୍ଦିର କୁ କାହିଁକି ‘ଆଡ଼ପ ମଣ୍ଡପ’ କୁହାଯାଏ ତାର ରହିଛି ଭିନ୍ନ ଭିନ୍ନ ମତ। ଗୋଟିଏ ମତ ହେଉଛି, ‘ଗୁଣ୍ଡ୍’ ଧାତୁର ଅର୍ଥ ଲୁଚାଇବା। ସେଇଥିରୁ ଆସିଛି ‘ଗୁଣ୍ଡିଚା’ ନାମ। ସେଠାର ଯଜ୍ଞ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବିର୍ଭାବ ବା ଜନ୍ମକାଳରେ, ସେମାନଙ୍କୁ ପଟ୍ଟବସ୍ତ୍ରରେ ଆଚ୍ଛାଦିତ ବା ଲୁକ୍କାୟିତ କରି ରଖା ଯାଇଥିଲା। ତେଣୁ ଆବରଣ ବା ଅନ୍ତରାଳ ଯୁକ୍ତ ମଣ୍ଡପରୁ ଆଡ଼ପ ମଣ୍ଡପ ନାମ ଆସିଛି। ଅନ୍ୟ ଏକ ମତ ହେଉଛି- ଆଡ଼ପର ଅର୍ଥ ଏନ୍ତୁଡ଼ିଶାଳ। ଏହା ଚତୁର୍ଦ୍ଧା ବିଗ୍ରହ ଙ୍କର ଏନ୍ତୁଡ଼ିଶାଳ ହୋଇଥିବାରୁ ଏହା ଆଡ଼ପମଣ୍ଡପ। ଆଉ ଗୋଟିଏ ମତରେ, ‘ଆଟୁ’ର ଅର୍ଥ ପଟା ଭାଡ଼ି। ‘ମାଦଳା ପାଞ୍ଜି’ରେ ଏ ସଂପର୍କରେ ଥିବା ସୂଚନା ଅନୁସାରେ, ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ଘରଟି କାଠ ମଣ୍ଡପ ଗୃହରେ ନିର୍ମିତ ଥିଲା। ଏଣୁ ଆଟୁ ବା କାଠ ମଣ୍ଡପ ରୁ ଆଡ଼ପ ମଣ୍ଡପ ହୋଇଥିବା ସମ୍ଭବ।
ଏହି ମଣ୍ଡପର ମାହାତ୍ମ୍ୟ ଓ ପବିତ୍ରତା ସଂପର୍କରେ ‘ସ୍କନ୍ଦପୁରାଣ-ଉତ୍କଳ ଖଣ୍ଡ’ ଅନ୍ତର୍ଗତ ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୨୯ ଅଧ୍ୟାୟରେ ବର୍ଣ୍ଣନା ରହିଛି। ଏପରିକି ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ ପ୍ରଭୁ ଙ୍କ ପାଇଁ ପୃଥିବୀର ସବୁଠାରୁ ପ୍ରୀତିପ୍ରଦ ସ୍ଥାନ ବୋଲି ମହାପ୍ରଭୁ ନିଜେ କହିଥିବା ସେଥିରେ ଉଲ୍ଲେଖ ଅଛି। ଗବେଷକ ମାନଙ୍କ ମତରେ କାଳ କ୍ରମେ କାଷ୍ଠ ମଣ୍ଡପର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ନିମନ୍ତେ ସେଠାରେ ଏକ କାଷ୍ଠ ନିର୍ମିତ କୁଟୀର ନିର୍ମିତ ହୋଇଥିଲା। ତାହାକୁ ଗୁଣ୍ଡିଚା ଘର କୁହାଗଲା। ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟ ରେ ଯେଉଁ ପରିଦୃଶ୍ୟ ମାନ ପୀଢ଼ ଶୈଳୀର ମନ୍ଦିର ନିର୍ମିତ ହୋଇଛି ତାହା ଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚା ମଣ୍ଡପ ନାମରେ ଅଭିହିତ ହୋଇଛି। ତେଣୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପମଣ୍ଡପ, ଗୁଣ୍ଡିଚା ଘର ବା ଗୁଣ୍ଡିଚା ମନ୍ଦିର ଏକ ସ୍ଥାନ ଓ ଏକ ଅର୍ଥବୋଧକ। ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶ୍ରୀ ବିଗ୍ରହ ମାନେ ଯେଉଁ ସ୍ଥାନରେ ଏକ ସପ୍ତାହବ୍ୟାପୀ ଅବସ୍ଥାନ କରିଥାନ୍ତି, ତାହାକୁ ଆଡ଼ପ ମଣ୍ଡପ ବୋଲି କୁହାଯାଇଥାଏ। କିନ୍ତୁ ‘ନୀଳାଦ୍ରି ମହୋଦୟ’ରେ ଏହି ସ୍ଥାନକୁ ‘ଯଜ୍ଞବେଦୀ’ ଏବଂ ସ୍କନ୍ଦ ପୁରାଣ ରେ ‘ମହାବେଦୀ’ ବୋଲି ଉଲ୍ଲେଖ କରାଯାଇଛି। କବି ଦୀନକୃଷ୍ଣ ଦାସ ମଧ୍ୟ ତାଙ୍କ ‘ଜଗମୋହନ ଛାନ୍ଦ’ରେ ଗୁଣ୍ଡିଚା ମନ୍ଦିରକୁ ‘ଆଡ଼ମ୍ବର ମଣ୍ଡପ’ ଭାବେ ବର୍ଣ୍ଣନା କରିଛନ୍ତି। ଅପର ପକ୍ଷରେ ଆଡ଼ପ ମଣ୍ଡପ ମାହାତ୍ମ୍ୟ ସଂପର୍କରେ କୃଷ୍ଣ ଦାସଙ୍କ ‘ଦେଉଳ ତୋଳା’ ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ, ସ୍ୱପ୍ନ ରେ ନିର୍ଦ୍ଦେଶ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ସୁନା ର ଶଗଡ଼ ଧରି ସମୁଦ୍ରକୂଳସ୍ଥ ଚକ୍ରତୀର୍ଥ ଠାରେ ଆବିର୍ଭୂତ ଦାରୁ ନିକଟକୁ ଗଲେ। ବସୁ ଶବରକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସ୍ୱପ୍ନରେ ପ୍ରଭୁଙ୍କର ଆଜ୍ଞା ମତେ ରାଜା ନିଜେ ମୁଣ୍ଡରେ ପାଟ ମୁଚୁଳା ବାନ୍ଧି ଠିଆ ହେଲେ। ଶକଟ ବା ଶଗଡ଼ ଉପରେ ବିଜେ କଲେ ଦାରୁ। ଏ ମହାଦାରୁ ଙ୍କୁ ଧରି ରାଜା ଆଡ଼ପ ମଣ୍ଡପ ଠାରେ ନିଜେ ଉପସ୍ଥିତ ରହି ଯାଗ କରାଇଲେ। ଯାଗ ବେଦୀକୁ ମାଡ଼ି ନୃସିଂହ ରହିଲେ। ଏହି ଆଡ଼ପ ମଣ୍ଡପ ଠାରେ ଜଗନ୍ନାଥ ମୂର୍ତ୍ତିକୁ ଗଢ଼ିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚା ଦେବୀଙ୍କୁ ଜଣାଇଲେ।ତୁମ ନାମରେ ଗୁଣ୍ଡିଚା ଯାତ୍ରା ହେବ। ଜଗନ୍ନାଥ ଏହି ଆଡ଼ପ ମଣ୍ଡପ ରେ କିଛି ଦିନ ଅବସ୍ଥାନ କରିବେ।ନୀଳାଦ୍ରି ମହୋଦୟ’ର ବର୍ଣ୍ଣନା ଅନୁସାରେ, ନୀଳାଚଳ ରେ ଦଶବର୍ଷ ପର୍ଯ୍ୟନ୍ତ ଶ୍ରୀ ବିଗ୍ରହ ମାନଙ୍କ ର ଦର୍ଶନ ଓ ପୂଜାର୍ଚ୍ଚନା ରେ ଯେଉଁ ଫଳ ମିଳେ,ସେହି ଫଳ ଯଜ୍ଞ ବେଦୀ ବା ଆଡ଼ପମଣ୍ଡପ ରେ ଗୋଟିଏ ଦିନର ଦର୍ଶନ ରେ ମିଳିଥାଏ। ସ୍କନ୍ଦପୁରାଣ ଉତ୍କଳଖଣ୍ଡ ର ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ ରେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଆଦେଶ ଦେଇଛନ୍ତି ଯେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ଆମ୍ଭଙ୍କୁ ରଥାରୂଢ଼ ପୂର୍ବକ ମହୋତ୍ସବ କରାଇ, ଯେଉଁ ସ୍ଥାନରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି ଏବଂ ଯେଉଁଠାରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ଯଜ୍ଞବେଦୀ, ସେହି ଗୁଣ୍ଡିଚା ମଣ୍ଡପକୁ ଆମ୍ଭମାନଙ୍କୁ ନେଇଯିବ। ଉକ୍ତ ସ୍ଥାନଟି ମୋର ଜନ୍ମସ୍ଥାନ ହେତୁ ଅଖଣ୍ଡ ପ୍ରୀତିଜନକ। ମୁଁ ସେଠାକୁ (ଆଡ଼ପମଣ୍ଡପକୁ) ନବଦିନ ଗମନ କରିବି ଏବଂ ସେଠାରୁ ପୁନରାୟ ଏହି ସ୍ଥାନକୁ (ଶ୍ରୀମନ୍ଦିରକୁ) ଆଗମନ କରିବି। ସେଠାରେ ଅବସ୍ଥିତି କାଳରେ ଯେଉଁ ସମସ୍ତ ମାନବ ମୋତେ ଦର୍ଶନ କରିବେ, ସେମାନେ ମୋର ଆଳୟ ବୈକୁଣ୍ଠ ଧାମକୁ ଗମନ କରିବେ। ଏହି ନବଦିନ ଯାତ୍ରାରେ ଶ୍ରୀବିଗ୍ରହମାନେ ସେଠାରେ ସାତଦିନ ଅବସ୍ଥାନ କରିଥାନ୍ତି। ତାହା ‘ମହାବେଦୀ ମହୋତ୍ସବ’ ଭାବରେ ଖ୍ୟାତ। ପୁରାଣର ବର୍ଣ୍ଣନା ଅନୁଯାୟୀ, ଏହି ‘ମହାବେଦୀ ମହୋତ୍ସବ’କୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ, ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ‘ସ୍କନ୍ଦପୁରାଣ’ର ୨୯ ଅଧ୍ୟାୟ ରେ କୁହାଯାଇଛି, “ରାଜାଙ୍କ ପ୍ରତିଷ୍ଠିତ ଶ୍ରୀମନ୍ଦିର ତାଙ୍କର ଯେପରି ପ୍ରୀତିପ୍ରଦ, ଅଶ୍ୱମେଧ ଯଜ୍ଞର ମହାବେଦୀ ନୃସିଂହ କ୍ଷେତ୍ର ମଧ୍ୟ ତଦନୁରୂପ ପ୍ରୀତିପ୍ରଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ କ୍ଷେତ୍ର ପୁରୀ ଠାରେ ମାନବୀୟ ଲୀଳା କରୁଛନ୍ତି। ପ୍ରତ୍ୟେକ ମନୁଷ୍ୟ ପରି ନିଜ ଜନ୍ମ ସ୍ଥାନ କୁ ବୁଲି ଯିବାକୁ ମହାପ୍ରଭୁ ବି ଇଚ୍ଛା ପ୍ରକାଶ କରି ଏହି ଲୀଳା କରୁଛନ୍ତି। ନିଜ ଜନ୍ମ ସ୍ଥାନରେ ସେ ସାତ ଦିନ ରହିବା ଲାଗି ରଥଯାତ୍ରାର ବିଧାନ କରାଇଛନ୍ତି। ସେଠାରେ ନବମୀ ଦିନ ଭକ୍ତମାନଙ୍କୁ ‘ସନ୍ଧ୍ୟାଦର୍ଶନ ଦେଇ, ଦଶମୀ ଦିନ ଶ୍ରୀବିଗ୍ରହମାନେ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏଣୁ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ରହିଥାଏ ଅନେକ ଉତ୍କଣ୍ଠା ଓ ଆଗ୍ରହ।
ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।