ଶ୍ରୀ ଜଗନ୍ନାଥ ଯେ ଷୋଳ କଳା
ସନ୍ତୋଷ କୁମାର ଦାଶ
ଶ୍ରୀ ଜଗନ୍ନାଥ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର ବଡ଼ ଠାକୁର। ଶାସ୍ତ୍ର କୁହେ କୋଟି କୋଟି ଓଡ଼ିଆ ଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ଅବତାରୀ ପୁରୁଷ । ସେ ଷୋଳ କଳା ର ଅଧିକାରୀ । ଏହି ଷୋଳକଳା ର ପ୍ରଥମ କଳା ହେଉଛି ନିବୃତ୍ତି । ଅର୍ଥାତ ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା। ତାଙ୍କ ଦ୍ୱିତୀୟ କଳା ହେଉଛି ପ୍ରତିଷ୍ଠା । ଅର୍ଥାତ ସତ ମାର୍ଗ ରେ ଯଶ ଅର୍ଜନ କରିବାର କଳା । ତାଙ୍କ ତୃତୀୟ କଳା ହେଉଛି ବିଦ୍ୟା । ଅର୍ଥାତ ନିଃସ୍ୱାର୍ଥ ଭାବରେ ଜନ ହିତକର ବିସ୍ତାର କରିବାର କଳା । ତାଙ୍କର ଚତୁର୍ଥ କଳା ହେଉଛି ଶାନ୍ତି । ଅର୍ଥାତ ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା । ତାଙ୍କର ପଞ୍ଚମ କଳା ହେଉଛି ଇନ୍ଧିକା । ଅର୍ଥାତ ନିଜ ଅନ୍ତଃ ଶକ୍ତି କୁ ସଂଗ୍ରହ କରିବାର କଳା । ତାଙ୍କର ଷଷ୍ଠ କଳା ହେଉଛି ଦୀପିକା। ଅର୍ଥାତ ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗ ର କଳା । ତାଙ୍କର ସପ୍ତମ କଳା ହେଉଛି ରେଚିକା । ଅର୍ଥାତ ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା । ତାଙ୍କର ଅଷ୍ଟମ କଳା ହେଉଛି ମୋଚିକା । ଅର୍ଥାତ ମାୟା ଓ ମୋହ ରୁ ମୁକ୍ତ ହେବାର କଳା । ତାଙ୍କର ନବମ କଳା ହେଉଛି ପରା । ଅର୍ଥାତ ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା । ତାଙ୍କର ଦଶମ କଳା ହେଉଛି ସୂକ୍ଷ୍ମ । ଅର୍ଥାତ ସତ ସୂକ୍ଷଗତ ବିଚାର କରିବାର କଳା । ତାଙ୍କର ଏକାଦଶ କଳା ହେଉଛି ସୁକ୍ଷ୍ମ ଅମୃତ। ଅର୍ଥାତ ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା । ତାଙ୍କର ଦ୍ୱାଦଶ କଳା ହେଉଛି ଜ୍ଞାନ । ଅର୍ଥାତ ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା । ତାଙ୍କର ତ୍ରୟୋଦଶ କଳା ହେଉଛି ଜ୍ଞାନ ଅମୃତ । ଅର୍ଥାତ ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା । ତାଙ୍କର ଚତୁର୍ଦ୍ଦଶ କଳା ହେଉଛି ଅପ୍ୟାୟିନୀ । ଅର୍ଥାତ ନିଜ କର୍ମ ଦ୍ୱାରା ସମାଜ ର କଲ୍ୟାଣ କରିବାର କଳା । ତାଙ୍କର ପଞ୍ଚଦଶ କଳା ହେଉଛି ବ୍ୟାପିନୀ । ଅର୍ଥାତ ସତ୍ୟକୁ ସର୍ବବ୍ୟାପୀ କରିବାର କଳା । ତାଙ୍କର ଷୋଡ଼ଶ କଳା ହେଉଛି ବ୍ୟୋମରୂପା । ଅର୍ଥାତ ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱ ରେ ସମସ୍ତଙ୍କୁ ସମାହିତ କରିବାର କଳା। ଆମ ଓଡ଼ିଆ ରେ ଏକ କଥା ଅଛି ଶ୍ରୀ ଜଗନ୍ନାଥ ଯେ ଷୋହଳ କଳା,ତହିଁ ରୁ କଳାଏ ନନ୍ଦ ବାଳା। ଶ୍ରୀ ଜଗନ୍ନାଥଙ୍କର ଷୋହଳ କଳା ଥିବାରୁ ସେ ଅନାଦି ,ସେ ନିରାକାର, ସେ ପରବ୍ରହ୍ମ।
ଜୟ ଜଗନ୍ନାଥ ସ୍ଵାମୀ
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮