ଶ୍ରୀ ମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ

ସନ୍ତୋଷ କୁମାର ଦାଶ

ଶ୍ରାବଣ ମାସ ର ପୂର୍ଣ୍ଣିମା କୁ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କୁହା ଯାଇଥାଏ। ଏହି ଦିନ ପୁରୀ ଶ୍ରୀ ମନ୍ଦିର ରେ ବଡ଼ଠାକୁର ଶ୍ରୀ ବଳଭଦ୍ର ଙ୍କ ଜନ୍ମୋତ୍ସବ ପାଳନ କରାଯାଇ ଥାଏ। ଏହି ପବିତ୍ର ଜନ୍ମୋତ୍ସବ ବିଧିବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ଅଣାଯାଇ ରତ୍ନସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ।
ଶ୍ରୀବିଗ୍ରହ ମାନଙ୍କୁ ୩ ଖଣ୍ଡ ଆଜ୍ଞାମାଳ , ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ। ଭିତରେ ପାଣି ପଡି ବଡ଼ ବାଡ଼ଙ୍କ ସମ୍ମୁଖ ତଳେ ଷଷ୍ଠୀ ଦେବୀ , ମାର୍କଣ୍ଡ ଓ ବରୁଣ ପୂଜା ପାଇଁ ମୁରୁଜ ପକାଯାଏ। ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡଶ ଉପଚାର ରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ପୁନଶ୍ଚ ଭିତରେ ପାଣି ପଡି ଧୋ ପଖାଳ ହୁଏ। ତତ୍ପରେ ଜନୈକ ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ , ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ , ଭୂଦେବୀ ଓ ଶ୍ରୀମଦନ ମୋହନ ଝୁଲଣ ମଣ୍ଡପ କୁ ବିଜେ କରିଥାନ୍ତି । ଚଳନ୍ତି ଦିଅଁ ଝୁଲଣ ମଣ୍ଡପ କୁ ବିଜେ ହେବା ପରେ ପାଳିଆ ଖୁଣ୍ଟିଆ ଲଣ୍ଡାବର୍ତ୍ତ ଠାରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତି ମାନଙ୍କୁ ଡାକିଥାନ୍ତି। ଦଇତା ସେବକ ମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଗୋଟେ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚୋଉଦୋଳ ରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ , ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳପାଳିଆ ଖୁଣ୍ଟିଆ ଠୁ ନେଇ ସୁଦର୍ଶନଙ୍କୁ ଲାଗି କରା ଯାଇଥାଏ। ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ବର୍ଣ୍ଣ ଅଳଙ୍କାର ଯଥା କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳ ରେ ନେଇ ମାର୍କଣ୍ଡ ପୁଷ୍କରିଣୀ କୁ ଯାଇଥାନ୍ତି । ସେଠାରେ ଥିବା ଚକଡ଼ା ଉପରେ ଶ୍ରୀ ସୁଦର୍ଶନ ବିଜେ କରିଥାନ୍ତି। ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟି ରେ ସୁଦୁସୁଆର ସେବକ ଶ୍ରୀ ବଳଭଦ୍ର ଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହାପରେ ପୂଜାପଣ୍ଡା ସାମନ୍ତ ତାହାଙ୍କୁ ଜୀବନ୍ୟାସ ଦେଇ ବିଧି ମୁତାବକ ତାଙ୍କ ଜାତକର୍ମ କରିଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଞ୍ଚ ଉପଚାର ରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଏହାପରେ ଉକ୍ତ ପ୍ରତିମାକୁ ବିସର୍ଜନ କରାଯାଇଥାଏ। ଶ୍ରୀ ସୁଦର୍ଶନ ବିଭିନ୍ନ
ମଠ ଆଶ୍ରମ ପରିଭ୍ରମଣ କରି ଶ୍ରୀ ମନ୍ଦିର କୁ ଫେରି ଆସିଥାନ୍ତି।
ଜୟ ବଡ଼ ଠାକୁର ଶ୍ରୀ ବଳଭଦ୍ର

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ