ଶ୍ୟାମସୁନ୍ଦରପୁର ପଂଚାୟତରେ ରନ୍ଧାଖାଦ୍ୟ ପ୍ରଦାନରେ ଅନୀୟମିତତା ଅଭିଯୋଗ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଶ୍ୟାମସୁନ୍ଦରପୁର ପଂଚାୟତରେ ଗରୀବ ଅସହାୟ ଓ ଦୁସ୍ଥ ଲୋକମାନଙ୍କୁ ଦିନକୁ ୨ଥର ମାଗଣା ରନ୍ଧାଖାଦ୍ୟ ପ୍ରଦାନରେ ଅନୀୟମିତତା ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସେହି ପଂଚାୟତର ପୁରୁଷୋତ୍ତମପୁର ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ଘର ନିକଟରେ ସୁଦୂର ପଶ୍ଚିମବଙ୍ଗ ରାଜ୍ୟରୁ ଆସି ୪ଜଣ ନିର୍ମାଣ ଶ୍ରମିକ ତଥା ଦିନମଜୁରିଆ ରହୁଛନ୍ତି । ସେମାନଙ୍କୁ ଦିନକୁ ଥରେ ମାତ୍ର ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇ ୨ଥର ପାଇଁ ସେମାନଙ୍କ ଠାରୁ ସ୍ୱାକ୍ଷର କରାଇନିଆଯାଉଥିବା ଅଭିଯୋଗ ହୋଇଛି । କୋଭିଡ -୧୯ ଲକଡାଉନ ସମୟରେ ଦିନକୁ ୨ଓଳା ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ବ୍ଲକ ଓ ପଂଚାୟତ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ପଂଚାୟତରେ ତାହାର ଉଲ୍ଲଙ୍ଘନ କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗରୀବ ଦିନମଜୁରିଆମାନଙ୍କୁ ଏଭଳି ଭାବରେ ବାବା ବଟେଶ୍ୱର ମହିଳା ମଣ୍ଡଳ ପକ୍ଷରୁ ଥରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ କାହିଁକି ୨ଥର ଯୋଗାଇଦିଆଯାଉଥିବା ନେଇ ସେମାନଙ୍କ ଠାରୁ ସ୍ୱାକ୍ଷର କରାଇ ନିଆଯାଉଛି ବୋଲି ବରିଷ୍ଠ ନାଗରିକ ଶ୍ରୀ ମହାନ୍ତି ସଂପୃକ୍ତ ପଂଚାୟତ ସରପଂଚଙ୍କୁ ପଚାରିବାରେ ତାଙ୍କ ସ୍ୱାମୀ କହିଥିଲେ ଯେ ଆମେ କିଛି ଜାଣିନାହୁଁ । ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରନ୍ତୁ । ଆହୁରି ଅଭିଯୋଗ ହୋଇଛି ଯେ ଏହି ପଂଚାୟତର ମଡରପୁର ଗ୍ରାମର ମୁଣ୍ଡାବସ୍ତିରେ ମଧ୍ୟ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ଦିଆଯାଉନାହିଁ । ଏହି ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁରୁଷୋତ୍ତମପୁର ଗ୍ରାମର ବରିଷ୍ଠ ନାଗରିକ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କ ଠାରେ ଦାବିକରିଛନ୍ତି ।