ଶ୍ୟାମସୁନ୍ଦରପୁର ମଦ ଦୋକାନ ପାଇଁ ଟେଣ୍ଡର ନକରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା (ଯୁଗାବ୍ଦ ନୁୃ୍ୟଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚୟତର ଅଧିନ ବିଭିନ୍ନ ଗ୍ରାମର ଅଧିବାସୀ ମହିଳାମାନେ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଶ୍ୟାମସୁନ୍ଦରପୁର ମଦ ଦୋକାନ ପାଇଁ ଟେଣ୍ଡର ନକରିବାକୁ ନିବେଦନ କରିଛନ୍ତି । ସେମାନଙ୍କର କହିବା କଥା ହେଲା ଜିଲ୍ଲା ଅବକାରୀ ବିଭାଗ ଚଳିତମାସ ୧୬ତାରିଖରେ ପତ୍ର ସଂଖ୍ୟା ୭୧୭ରେ ଶ୍ୟାମସୁନ୍ଦରପୁରରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଦରଖାସ୍ତ ଆହ୍ୱାନକରି ଆସନ୍ତା ୨୫ତାରିଖରେ ସେହି ମଦ ଦୋକାନ ଆବଂଟନ କରିବାକୁ ନୋଟିସ ଦେଇଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଚଂଳରେ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୧୯ତିରିଖରେ ଏ ସମ୍ପର୍କରେ ଆଲୋଚନା କରାଯିବା ନିମନ୍ତେ ସ୍ଥାନୀୟ ବଜ୍ରସୁନା ଠାକୁରାଣୀ ମନ୍ଦିର ପରିସରରେ ଶତାଧିକ ମହିଳାଙ୍କ ଉପସ୍ଥିତିରେ ନିଆଯାଇଥିବା ନିଷ୍ପତି ଅନୁଯାଇ ଜିଲ୍ଲାପାଳଙ୍କୁ ଶ୍ୟାମସୁନ୍ଦରପୁର ଠାରେ ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ଦିଆଯାଇଥିବା ନୋଟିସର ପରବର୍ତ୍ତି ପକ୍ରୀୟାକୁ ବନ୍ଦ କରିବା ପାଇଁ ବିହୀତ ପଦକ୍ଷେପ ନିଆଯିବାକୁ ନିବେଦନ କରାଯାଇଛି । କାରଣ ସେଠାରେ ମଦ ଦୋକାନ ଖୋଲାଗଲେ ଅନୁସୂଚିତ ଜାତି,ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ସେହି ପଂଚାୟତର ଜନସାଧାରଣଙ୍କ ଜୀବନ ଧାରଣର ମାନ ବିପର୍ଯ୍ୟସ୍ତ ହେବା ସହ ସେହିବାଟ ଦେଇ କେନ୍ଦ୍ରାପଡା ସହରକୁ ଉଚ୍ଚଶିକ୍ଷା ପାଇଁ ପ୍ରତ୍ୟେହ ଯିବାଆସିବା କରୁଥିବା ପ୍ରାୟ ୩ଟି ବ୍ଲକର ଏକାଧିକ ପଂଚାୟତର ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କର ଯାତାୟତ,ସ୍ଥାନୀୟ ପରିବାରଙ୍କ ଦୈନିନ୍ଦିନ ଜୀବନ ଓ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟନ୍ତ ନାକାରାତ୍ମକ ପ୍ରଭାବ ପକାଇବ । ଏଥିସହିତ ଗରୀବଲୋକଙ୍କ ପାରିବାରିକ ଜୀବନରେ ଘୋର ଅଶାନ୍ତି ଭରିଦେବ । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬-୧୭ ମସିହାରେ ଯେତେବେଳେ ସରକାର ଏଠାରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ ତାହା ବିରୋଧରେ ଲଗାତର ଦୁର୍ବାର ଗଣଆନ୍ଦୋଳନ ସଂଗଠିତ ହୋଇଥିଲା । ମହିଳାମାନଙ୍କ ନେତୃତ୍ୱରେ ହୋଇଥିବା ସେହି ଆନ୍ଦୋଳନକୁ ସ୍ଥାନୀୟ ଜନସାଧାରଣଙ୍କ ସମେତ ଜିଲ୍ଲାର ବୁଦ୍ଧିଜୀବି ଓ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଦୃଢ ସମର୍ଥନ କରିବା ଫଳରେ ଶେଷରେ ଜିଲ୍ଲା ପ୍ରଶାସନ ସେହି ମଦ ଦୋକାନକୁ ସବୁଦିନ ପାଇଁ ବନ୍ଦ କରିବାକୁ ୨୦୧୭ମସିହା ସେପ୍ଟେମ୍ବରମାସରେ ନିର୍ଦେଶ ଦେବା ସହ ଭବିଷ୍ୟତରେ ଶ୍ୟାମସୁନ୍ଦରପୁର ପଂଚାୟତରେ ମଦ ଦୋକାନ ନଖୋଲିବାକୁ ପ୍ରତିଶ୍ୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସେହି ପ୍ରତିଶୃତିକୁ ଭୁଲିଯାଇ ପୁନର୍ବାର ସେଠାରେ ମଦ ଦୋକାନ ଖୋଲିବାକୁ ପୁନଃ ଉଦ୍ୟମ କରିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ସେଠାରେ ମଦ ଦୋକାନ ପାଇଁ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରୀୟାକୁ ବାତିଲ କରାଯିବାକୁ ବନଲତା ଜେନା,ଦ୍ରୈାପଦୀ ରାଉତ,ମୀନତୀ ନାୟକ,ବାସନ୍ତୀ ରାଉତ,ସାରଥୀ ରଣା,ଲକ୍ଷ୍ମୀପ୍ରୀୟା ସ୍ୱାଇଁ,ଅଞ୍ଜଳି ମଲ୍ଲିକ,ସୁଚିସ୍ମିତା ସ୍ୱାଇଁ,କାଚଂନବାଳା ନାୟକ ପ୍ରମୁଖ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ