ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ୬୩ ପ୍ରତିଶତ ମତଦାନ
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ୭ ରାଜ୍ୟର ୫୯ ଆସନ ପାଇଁ ରବିବାର ମତଗ୍ରହଣ କରାଯାଇଛି । ସନ୍ଧ୍ୟା ୭ଟା ସୁଦ୍ଧା ଏହି ସବୁ ରାଜ୍ୟରୁ ମୋଟ୍ ୬୩% ମତଦାନ ହୋଇଥିବା ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୮ଠ.୯୧%, ଝାଡ଼ଖଣ୍ଡରେ ୬୪.୪୬%, ହରିଆଣାରେ ୬୨.୧୨%, ମଧ୍ୟପ୍ରଦେଶରେ ୫୫.୪%, ଦିଲ୍ଲୀରେ ୫୫.୪୪%, ବିହାରରେ ୫୯.୨୯ ଏବଂ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୩.୩୭% ମତଦାନ ହୋଇଛି । ସକାଳ ୭ଟାରୁ ମତଦାନ ଅରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହି ପରିପ୍ରେକ୍ଷୀରେ ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଂଜୟ ଜୟଶୱାଲ ଏବଂ ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଭାରତୀ ଘୋଷ୍ଙ୍କ ଉପରେ ଆକ୍ରମଣ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗର ଝାରଗ୍ରାମ ଏବଂ ଗୋପୀବଲ୍ଲଭପୁର ଅଞ୍ଚଳରୁ ୨ଜଣ (ବିଜେପିର ଜଣେ ଏବଂ ଟିଏମ୍ସିର ଜଣେ) କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଉପରେ ନିର୍ବାଚନ କମିଶନ ଦୁଇ ରାଜ୍ୟରୁ ରିପୋର୍ଟ ତଲବ କରିଛନ୍ତି । ଏହି ଦୁଇ ରାଜ୍ୟରେ ଏପ୍ରକାର ହିଂସାକାଣ୍ଡକୁ ବାଦ୍ଦେଲେ ଅନ୍ୟ ସବୁଠି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ରିପୋର୍ଟ ମିଳିଛି ।
ପ୍ରକାଶ ଯେ, ୬ଷ୍ଠ ପର୍ଯ୍ୟାୟରେ ୫୯ ଲୋକସଭା ଆସନ ପାଇଁ ମୋଟ୍ ୯୭୯ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୭୬୯ ଜଣ ସ୍ୱାଧୀନପ୍ରାର୍ଥୀ ରହିଛନ୍ତି । ବିଜେପିର ୫୪ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ବିଏସ୍ପିର ୪୯ ପ୍ରାର୍ଥୀ ଅଛନ୍ତି । ଏହା ବ୍ୟତୀତ କଂଗ୍ରେସର ୪୬, ଶିବସେନାର ୧୬, ଆପ୍ର ୧୨, ଟିଏମ୍ସିର ୧୦, ଆଇଏନ୍ଏଲ୍ଡିର ୧ଠ, ସିପିଆଇର ୭ ଏବଂ ସିପିଏମ୍ର ୬ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।ଉତ୍ତରପ୍ରଦେଶର ୧୪ଟି ଆସନ, ହରିଆଣାର ସମସ୍ତ ୧ଠଟି ଆସନ, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ଦିଲ୍ଲୀର ସମସ୍ତ ୭ଟି ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଛି । ଏହା ବ୍ୟତୀତ ପଶ୍ଚିମ ତ୍ରିପୁରା ଆସନ ପାଇଁ ପୁନଃ ଭୋଟ୍ ଗ୍ରହଣ କରାଯାଇଛି । ଏଠାରେ ୧୬୮ଟି ବୁଥ୍ରେ ୧୧ ଏପ୍ରିଲରେ ମତଦାନ ହୋଇଥିଲେ ମଧ୍ୟ ଏହାକୁ ରଦ୍ଦ କରାଯାଇଥିଲା । ୬ଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ୧.୧୩ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଏହି ପର୍ଯ୍ୟାୟରେ ଯେଉଁ କେତେକ ହେଭିୱେଟ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି ସେମାନେ ହେଲେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷ ବର୍ଦ୍ଧନ, ମାନେକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, କ୍ରିଷନ୍ ପାଲ୍ ଗୁଜର୍ ଏବଂ ରାଓ ଇନ୍ଦ୍ରଜିତ୍ ସିଂହ, ବିଜେପିର ଭୋପାଳ ଅ ।ସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗ୍ବିଜୟ ସିଂହ ଓ ଭୂପିନ୍ଦର୍ ସିଂହ ହୁଦା ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ପ୍ରମୁଖ । ସେହିପରି ଦିଲ୍ଲୀରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଡ଼କ୍ଟର ହର୍ଷ ବର୍ଦ୍ଧନ, ବିଜେପିର ଦିଲ୍ଲୀ ଶାଖା ଅଧ୍ୟକ୍ଷ ମନୋଜ ତିୱାରୀ, କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍, ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍, ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଏବଂ ଆମ୍ ଆଦ୍ମୀ ପାର୍ଟିର ରାଘବ ଚଢ଼ା, ଅତିଶୀ ଏବଂ ଦିଲୀପ ପାଣ୍ଡେଙ୍କ ଭାଗ୍ୟ ଏବେ ଇଭିଏମ୍ରେ ଆବଦ୍ଧ ହୋଇଯାଇଛି ।


