ଷ୍ଟେଟବ୍ୟାଙ୍କରେ ହିଂଜିଳି ପୋଲିସର ମକଡ଼୍ରିଲ

ହିଂଜିଳିକାଟୁ, (ଶେଷଦେବ ସାହୁ): ମଙ୍ଗଳବାର ଅପରାହ୍ନରେ ଭାରତୀୟ ଷ୍ଟେଟବ୍ୟାଙ୍କ ହିଂଜିଳିକାଟୁ ଶାଖାରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଥିଲା । କେହି କିଛି ବୁଝିିବା ପୂର୍ବରୁ ୫ ଜଣ ମୁଖାଧାରୀ ଲୁଟେରା ହାତରେ ବନ୍ଧୁକ ଓ ଖଣ୍ଡା ଧରି ବ୍ୟାଙ୍କ ମଧ୍ୟରେ ପଶି ଆତଙ୍କ ଖେଳାଇଥିଲେ । ଗ୍ରାହକ ମାନେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ବ୍ୟାଙ୍କର ସାଇରନ ବାଜି ଉଠିବାରୁ ପୋଲିସ ଘଟଣା ସ୍ଥଳରେ ପଂହଚି ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହା କୌଣସି ଲୁଟେରା ଗ୍ୟାଙ୍ଗର ସତସତିକା ଲୁଟ ଉଦ୍ୟମ ନଥିଲା । ହିଂଜିଳି ପୋଲିସର ଏକ ଟିମ ଲୁଟେରା ବେଶରେ ଆସି ମକଡ଼୍ରିଲ କରିଥିଲେ । ଘଟଣା ସ୍ଥଳରେ ପୋଲିସ ବାହିନୀଙ୍କୁ ଦେଖି ଗ୍ରାହକ ମାନେ ଆଶ୍ୱସ୍ତି ଲାଭ କରିଥିଲେ । ପରବର୍ତି ସମୟରେ ଥାନା ଆଇଆଇସି ଏହା ପୋଲିସର ମକଡ଼୍ରିଲ ଥିଲା ବୋଲି କହିଥିଲେ । ଉପସ୍ଥିତ ଗ୍ରାହକଙ୍କୁ ଥାନା ଭାରପ୍ରାପ୍ତ ଅଧିକାର ଦାସ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇଥିଲେ । ସହରରେ ବଢି ଚାଲିଥିବା ଲୁଟେରାଙ୍କ ଆତଙ୍କରାଜ ରୋକିବା ନିମନ୍ତେ ଗଂଜାମ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରି ମକଡ଼୍ରିଲ କରାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ପରିପେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ମକଡ଼୍ରିଲ କରାଯାଇଥିଲା । ପ୍ରଥମେ ବ୍ୟାଙ୍କ ପ୍ରବେଶ ପଥରେ ଗ୍ରାହକ ମାନଙ୍କ ପରିଚୟ ପତ୍ର, ବ୍ୟାଙ୍କ ଖାତା ଯାଂଚ କରିବା, ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ସକାଶେ ସିସି ଟିଭି ବ୍ୟବସ୍ଥା କାର୍ଯ୍ୟକାରୀ ସମ୍ପର୍କରେ ଅନୁସନ୍ଧାନ କରିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ଏସବିଆଇ ହିଂଜିଳିକାଟୁ ଶାଖାର ପରିଚାଳକ ସତ୍ୟସିତ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ମକଡ଼୍ରିଲ କାର୍ଯ୍ୟକ୍ରମରେ ଥାନା ଏସ ଆଇ ପ୍ରଦିପ୍ତ କୁମାର ଦାଶ, ମମତା ସାମନ୍ତରାୟ, ବିଶ୍ୱଜିତ ନାୟକ, ହାବିଲଦାର ରାଜିବ କୁମାର ପାଢି, ସୁବାଷ ଚନ୍ଦ୍ର ଅଧିକାରୀ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ନରେନ୍ଦ୍ର ଦଳାଇ, କୃଷ୍ଣ ନାୟକ, ଜଗନ୍ନାଥ ନାୟକ, ରାମଚନ୍ଦ୍ର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ