ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନଙ୍କ ହରତାଳ
କେନ୍ଦ୍ରାପଡା – ସହରର ମେଡିକାଲଛକରେ ଅବସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ କେନ୍ଦ୍ରାପଡା ସହରରେ ଥିବା ସମସ୍ତ ଜାତୀୟକରଣ ବ୍ୟାଙ୍କ ଶାଖା ଗୁଡିକର କର୍ମଚାରୀମାନେ ୨ଦିନଧରି ହରତାଳ ଜାରିରଖିଥିବାର ଦେଖାଯାଇଛି । କେନ୍ଦ୍ରାପଡା ସହରର ସମସ୍ତ ବ୍ୟାଙ୍କ ଶାଖା ଗୁଡିକ ବନ୍ଦ ରହିଥିବାର ଦେଖାଯାଇଥିଲା । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନସ(ୟୁ.ଏଫ.ବି.ୟୁ.)ର କନଭେନର ସ୍ୱାଧୀନ କୁମାର ଦାଶଙ୍କ ନେତୃତ୍ୱରେ ସମସ୍ତ ବ୍ୟାଙ୍କର କର୍ମଚାରୀମାନେ ୧୨ଦଫା ଦାବିରେ ହରତାଳ କରିଥିବା ଦେଖାଯାଇଛି । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଦରମା ଓ ପେନସନ ବୃଦ୍ଧି,ନିର୍ଦ୍ଧାରିତ କାର୍ଯ୍ୟ ସମୟ,ସବୁ ଶନିବାର ବ୍ୟାଙ୍କ ବନ୍ଦ ରହିବା ପ୍ରଭୃତି ଦାବି ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୭ମସିହା ନଭେମ୍ବରମାସରୁ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା ବୃଦ୍ଧି ବନ୍ଦ ରହିଛି ବୋଲି ୟୁ.ଏଫ.ବି.ୟୁ.ର କନଭେନର ଶ୍ରୀ ଦାଶ କହିଛନ୍ତି । ଏହି ହରତାଳକୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ସମର୍ଥନ ଦେଇ ସଙ୍ଘର କର୍ମକର୍ତ୍ତାମାନଙ୍କ ସହ ବସିରହିଥିବାର ଦେଖାଯାଇଛି ।


