ସଂଗରୋଧ କେନ୍ଦ୍ରରୁ ଫେରନ୍ତା ପ୍ରବାସୀଙ୍କୁ ଘୋଷିତ ଅର୍ଥ ମିଳୁନାହିଁ:ପାରଳା ବିଧାୟକ
ପାରଳାଖେମୁଣ୍ଡି, ୩୦ା୦୫ (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଂଗରୋଧ କେନ୍ଦ୍ରରୁ ଫେରନ୍ତା ପ୍ରବାସୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ପ୍ରାପ୍ୟ ମିଳୁନାହିଁ ବୋଲି ପାରଳା ବିଧାୟକ କେ.ନାରାୟଣ ରାଓ ଅଭିଯୋଗ ଆଣିଛନ୍ତି । ପ୍ରବାସୀ ଓଡିଆମାନେ ନିଜ ଗ୍ରାମକୁ ଫେରିବା ପରେ ପଞ୍ଜିକରଣ ଦ୍ୱାରା ସଂଘରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା । ସେମାନେ ସଂଘରୋଧରେ ରହି ଫେରିବା ବେଳେ ସେମାନଙ୍କୁ ୨ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ତେବେ ଗଜପତି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରବାସୀଙ୍କୁ ସଂଘରୋଧ ଅବଧି ସରିବା ପରେ ଏହି ପ୍ରାପ୍ୟ ମିଳି ନାହିଁ ବୋଲି ପାରଳା ବିଧାୟକ ଅଭିଯୋଗ ଆଣିଛନ୍ତି । ଏପରିକି ଏହି ପ୍ରାପ୍ୟ ବିଷୟରେ କିଛି ପ୍ରବାସୀ ପଚାରିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ନାଲି ଆଖି ଦେଖାଯାଇଥିବା ଦୃଷ୍ଟିକୁ ଆସିଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି । ଏହି ଟଙ୍କା ପ୍ରଦାନ କରିବାରେ କାହିଁକି ବିଳମ୍ବ ଘଟୁଛି ଏ ବିଷୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ବିବରଣୀ ପ୍ରଦାନ କରୁ ନଥିବା ବିଧାୟକ କହିଛନ୍ତି ।


