ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିଜୟ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦେଶର କୃଷକ ଓ କୃଷି ସଂଗଠନମାନଙ୍କ ସହ କୈାଣସି ବିଚାର ବିମର୍ଷ ନକରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାର ଆଣିଥିବା କର୍ପୋରେଟ ସପକ୍ଷବାଦୀ ୩କଳା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପଞ୍ଜାବରେ ଏହି ଆଇନ ପ୍ରତି ରହିଥିବା ବ୍ୟାପକ ବିରୋଧ ଏବଂ ସେଠାକର ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ ରଖି ଏହି ଘୋଷଣା କରିବା ପାଇଁ ଆଜି ଗୁରୁ ନାନକ ଜୟନ୍ତୀକୁ ବାଛିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଏହି ସଦ୍ୟତମ ଘୋଷଣାକୁ ସ୍ୱାଗତ କରିବା ସହିତ ସଂସଦର ଆଗାମୀ ଅଧିବେଶନରେ ଉପଯୁକ୍ତ ପ୍ରକ୍ରୀୟା ମଧ୍ୟ ଦେଇ ୩ଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିର କରିଛି । ଏହି ଆଇନ ପ୍ରତ୍ୟାହୃତ ହେଲେ ଦୀର୍ଘ ଏକବର୍ଷ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଐତିହାସିକ ବିଜୟ ବୋଲି କୁହାଯିବ । ଗତ ଏକବର୍ଷ ମଧ୍ୟରେ ଏହି ଆନ୍ଦୋଳନରେ ୭ଶହରୁ ଉର୍ଦ୍ଧ୍ୱ କୃଷକ ସହୀଦ ହୋଇଛନ୍ତି । ଲକ୍ଷ୍ମୀପୁର ଖେରୀର ହତ୍ୟା ଘଟଣା ସମେତ ଉପରୋକ୍ତ ସମସ୍ତ କୃଷକ ମୃତ୍ୟୁ ପାଇଁ ମୋଦି ସରକାର ଓ ତାଙ୍କ ଅହଙ୍କାର ହିଁ ଦାୟୀ । ଆଜି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କୃଷକ ଆନ୍ଦୋଳନର ସହୀଦ ମାନଙ୍କ ପ୍ରତି ସାମାନ୍ୟତମ ଦୁଃଖ କିମ୍ବା ଅନୁଶୋଚନା ପ୍ରକାଶ ନକରିବା ତାଙ୍କ ସମ୍ବେଦନହୀନତା ଓ ଅହଙ୍କାରକୁ ପ୍ରମାଣିତ କରୁଛି । କୃଷକମାନଙ୍କ ଆନ୍ଦୋଳନ କେବଳ ୩କଳା କୃଷି ଆଇନର ପ୍ରତ୍ୟାହାର ପାଇଁ ନଥିଲା । ସମସ୍ତ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ପାଇଁ ଆଇନ କରିବା ପ୍ରମୁଖ ଦାବି ଥିଲା । ସରକାର କମିଟି ଗଠନ କରି ଏମଏସପି ସମସ୍ୟାର ସମାଧାନ ପାଇଁ କହିଥିଲେ ମଧ୍ୟ ସେ ଦିଗରେ କୈାଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ଘୋଷଣା କରିନଥିବାରୁ କୃଷକମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ବର୍ତ୍ତାମାନ ବି ଅବ୍ୟାହତ ରହିଛି । ଏହା ସହିତ ବିଦ୍ୟୁତ ବିଲ -୨୦୨୦କୁ ପ୍ରତ୍ୟାହାର ପାଇଁ ସରକାର ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି । ତେଣୁ ଏହି ଆନ୍ଦୋଳନ ଚାଲୁ ରହିବା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଗାମୀ ଦିନରେ କାର୍ଯ୍ୟପନ୍ଥା ସ୍ଥିର କରିବ । ଆଜିର ଏହି ଘୋଷଣା ପରିପ୍ରେକ୍ଷୀରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ବିଜୟ ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, କଂଗ୍ରେସ କିଷାନ ସେଲର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ଅନ୍ୟତମ ଆବାହକ ଆଦିକନ୍ଦ ରାଉଳ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ଚାଷିମୂଲିଆ ସଙ୍ଘର ଜିଲ୍ଲା ସଭାପତି ଫକିର ଚରଣ ଖଟୁଆ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଏଆଇକେକେଏମଏସର ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, କିଷାନ କଂଗ୍ରେସର ଜିଲ୍ଲା ସଭାପତି ନାରାୟଣ ପରିଡା, ବରିଷ୍ଠ କୃଷକ ନେତା ମାଧବ ଦାସ, ହାରାମଣୀ ରାଉତ, ଦଳିତ ସଂଗଠନର ଜିଲ୍ଲା ନେତା ନଗେନ୍ଦ୍ର ଜେନା, ପ୍ରହଲ୍ଲାଦ ନାୟକ, ରମେଶ ପ୍ରଧାନ, ଜୟନ୍ତୀ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ଏବଂ ଆଗାମୀ ଡିସେମ୍ବର ୨୬ ତାରିଖରେ କୃଷକ ଆନ୍ଦୋନଳନର ବର୍ଷପୂର୍ତ୍ତି ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ