ସଂସଦରେ ମୋଦୀଙ୍କୁ ଅଡ଼ୁଆରେ ପକାଇଲେ ସାଧ୍ୱୀ ପ୍ରଜ୍ଞା
ନୂଆଦିଲ୍ଲୀ : ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ “ଦେଶଭକ୍ତ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି । ଲୋକସଭାରେ ଆଲୋଚନା ବେଳେ ପ୍ରଜ୍ଞା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମଙ୍କୁ “ଦେଶଭକ୍ତ କହିଥିଲେ । ଲୋକସଭାରେ ଏସ୍ପିଜି (ସଂଶୋଧନ) ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଡିଏମ୍. କେ ନେତା ଏ ରାଜା ଗଡ଼ସେଙ୍କ କଥା ଉଠାଇଥିଲେ । ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ କାହିଁକି ହତ୍ୟା କରିଥିଲେ ସେ ସଂକ୍ରାନ୍ତରେ ରାଜା ଗଡ଼ସେଙ୍କର ଏକ ଟିପ୍ପଣୀକୁ ରଖିଥିବା ବେଳେ ପ୍ରଜ୍ଞା ଏଥିରେ ହସ୍ତକ୍ଷେପ କରିଥିଲେ । ପ୍ରଜ୍ଞା କହିଥିଲେ ଯେ, ସେ ଜଣେ ଦେଶଭକ୍ତଙ୍କର ଉଦାହରଣ ଦେଇପାରିବେ ନାହିଁ । ତେବେ ବିରୋଧୀ ଦଳ ନେତାମାନେ ପ୍ରଜ୍ଞାଙ୍କର ଏଭଳି ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା କେବଳ ଏ ରାଜାଙ୍କ ଟିପ୍ପଣୀକୁ ରେକର୍ଡକୁ ନେଇଥିବା ବେଳେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କର ଟିପ୍ପଣୀକୁ ରେକର୍ଡରୁ ବାଦ ଦିଆଯାଇଛି । ଏ ରାଜା ଏସ୍ପିଜି ସଂଶୋଧନ ବିଲ୍ର ଆଲୋଚନା ବେଳେ କହିଥିଲେ ଯେ ଗଡ଼ସେ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାରେ ବିଶ୍ୱାସ କରୁଥିଲେ । ଦୀର୍ଘ ୩୨ ବର୍ଷ ଧରି ଗ?ସେଙ୍କର ଗାନ୍ଧିଙ୍କ ପ୍ରତି ବିଦ୍ୱେଷ ଭାବନା ଥିଲା ଏବଂ ଶେଷରେ ସେ ତାଙ୍କୁ ହତ୍ୟା କରିଥିବା ଗ?ସେ ନିଜେ ସ୍ୱୀକାର କରିଥିଲେ ବୋଲି ରାଜା କହିଥିଲେ । କଂଗ୍ରେସର ଗୌରବ ଗୋଗଇ କହିଛନ୍ତି, ଗୃହରେ ଜଣେ ସଦସ୍ୟ ନାଥୁରାମଙ୍କୁ ଦେଶଭକ୍ତ କହୁଛନ୍ତି । ସେ ତାଙ୍କର ଏଭଳି ଟିପ୍ପଣୀ ପାଇଁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଥିଲେ । ପୂର୍ବରୁ ମଧ୍ୟ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଜ୍ଞା ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହି ଅଡ଼ୁଆରେ ପଡ଼ିଥିଲେ ।