ସଂସ୍କୃତି କଲେଜରେ ନିଯୁକ୍ତି ଜାଲିଆତି, ଶିକ୍ଷା ବିଭାଗ ନୀରବ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଯାଜପୁର ଜିଲ୍ଲାରେ ପୁଣି ଏକ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି ଧରାପଡ଼ିଛି । ପୂର୍ବରୁ ଏହି ଜିଲ୍ଲାର ଏ.କେ. ଆର ସଂସ୍କୃତ ମହାବିଦ୍ୟାଳୟରେ ଜାଲିଆତି ନେଇ ଅଭିଯୋଗ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ମହାବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର ସହ ବ୍ଲକ ଗ୍ରାଣ୍ଟ ପ୍ରତ୍ୟାହାର କରାଯିବାକୁ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ସୁପାରିଶ କରିଛି । ଏବେ ପୁଣି ଏହି ଜିଲ୍ଲାର ବରୀ ବ୍ଲକରେ ଥିବା ସାବିତ୍ରୀ ଦେବୀ ସଂସ୍କୃତ ମହାବିଦ୍ୟାଳୟରେ ୨୦୧୬-୧୭ ବର୍ଷରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନେ ଉଚ୍ଚଶିକ୍ଷା ବିଭାଗର କିଛି ଅସାଧୁ ଅଧିକାରୀଙ୍କ ସାହାଯ୍ୟରେ ଜାଲିଆତି କରି ବ୍ଲକଗ୍ରାଣ୍ଟ ଓ (ଅନୁଦାନ) ଜିଆଇଏ ହାତେଇବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ-୩୯୦୦୭ରେ ତା ୨୭.୦୯.୨୦୨୧ରେ ଆଞ୍ଚଳିକ ନିର୍ଦ୍ଦେଶକ ତାଙ୍କର ତଦନ୍ତ ରିପୋର୍ଟରେ ଏହି ଜାଲିଆତିକୁ ସ୍ୱୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିଛନ୍ତି ।ଉକ୍ତ ଶିକ୍ଷାନୁଷ୍ଠାନ ୨୦୦୨ ଅକ୍ଟୋବର ମାସରେ ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ଏବେ କାର୍ଯ୍ୟରତ ୮ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ନିଯୁକ୍ତି ୧୯୯୯ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଦର୍ଶାଯାଇ ସରକାରଙ୍କ ଠାରୁ ୨୦୦୯ ଜିଆଇଏ ଆଦେଶ ମୁତାବକ ଦରମା ହାତେଇଛନ୍ତି । ନିୟମ ମୁତାବକ ଯେଉଁ ଅଧ୍ୟାପକମାନେ ୨୦୦୫ ଅବା ତାର ପୂର୍ବରୁ ନିଯୁକ୍ତି ପାଇବେ ସେମାନେ ୨୦୦୯ ଅନୁଯାୟୀ ଦରମା ପାଇବାକୁ ହକଦାର ଅଟନ୍ତି । ତେବେ ଏହି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକମାନେ ଜାଲ୍ କାଗଜ ପତ୍ର ପ୍ରସ୍ତୁତ କରି ନିଯୁକ୍ତି ପାଇଥିବା ଆଞ୍ଚଳିକ ନିର୍ଦ୍ଦେଶକ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ଉକ୍ତ କଲେଜର ଅଧ୍ୟକ୍ଷା କ୍ଷଣପ୍ରଭା ମହାପାତ୍ରଙ୍କ ନିଯୁକ୍ତି ୧୯୯୯ ମସିହା ଦର୍ଶାଯାଇଥିବା ବେଳେ ଶିକ୍ଷାନୁଷ୍ଠାର ପ୍ରତିଷ୍ଠା ୨୦୦୨ରେ ହୋଇଥିବା ସ୍ଥଳେ ସେ ପ୍ରକୃତରେ ୨୦୦୭ ଅଗଷ୍ଟ ୧ ତାରିଖରେ ନିଯୁକ୍ତି ପାଇଥିବା ବିଭାଗ ନିକଟରେ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ।ସେହିପରି ଇତିହାସ ବିଭାଗର ଅଧ୍ୟାପକ ମନୋଜ ସାମଲଙ୍କ ନିଯୁକ୍ତି ୨୦୦୨ ମସିହା ସେପ୍ଟେମ୍ବର ୬ ତାରିଖ ଦର୍ଶାଯାଇଥିବା ବେଳେ ପ୍ରକୃତ ପକ୍ଷେ ବୈଜୟନ୍ତୀମାଳା ତ୍ରିପାଠୀ ୨୦୧୨ଯାଏ କାର୍ଯ୍ୟ କରୁଥିଲେ ଏବଂ ୨୦୧୩-୧୪ରୁ ସୁଲେଶଚନା ଧଳ କାର୍ଯ୍ୟ କରୁଥିଲେ । ଶ୍ରୀ ସାମଲଙ୍କ ନିଯୁକ୍ତି ୨୦୦୦ ମସିହାରେ ଦର୍ଶାଯାଇ ଜାଲିଆତି କରାଯାଇଥିବାର କୁହାଯାଇଛି । ପୁନଶ୍ଚ ବ୍ୟାକରଣ ବିଭାଗରେ କାର୍ଯ୍ୟରତ ଗୀତାଞ୍ଜଳି କରଙ୍କ ନିଯୁକ୍ତି ୨୦୦୦ ମସିହାରେ ବୋଲି ଦର୍ଶାଯାଇଥିବା ବେଳେ ୨୦୧୫ଯାଏ ସେ ବଡ଼ଚଣା ବ୍ଲକ କାଶୀନାଥ ସଂସ୍କୃତ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ।ଅନ୍ୟପକ୍ଷରେ ସଂସ୍କୃତ ସାହିତ୍ୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଦୁର୍ଯ୍ୟୋଧନ ନାଥ ବାରିପଦା ସରକାରୀ ସଂସ୍କୃତ ମହାବିଦ୍ୟାଳୟରେ ୨୦୧୪-୧୫ ଓ ୨୦୧୫-୧୬ରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ଦରମା ନେଇଥିବା ବେଳେ ତାଙ୍କର ନିଯୁକ୍ତି ମଧ୍ୟ ୨୦୦୩ରେ ଏହି ଶିକ୍ଷାନୁଷ୍ଠାନରେ ହୋଇଥିବା ଦର୍ଶାଯାଇଛି । ଅନ୍ୟପକ୍ଷରେ ଅଧ୍ୟାପକ ଅରବିନ୍ଦ ଶତପଥୀ, ମହେଶ୍ୱର ବେହେରା ପ୍ରମୁଖଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଜାଲିଆତି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଏହିକି ଯେ ୨୦୦୨ ମସିହା ଅକ୍ଟୋବର ୨୯ ତାରିଖରେ ମହାବିଦ୍ୟାଳୟ ପରିଚାଳନା କମିଟି ଏହାକୁ ଖୋଲିବା ପାଇଁ ସରକାରଙ୍କୁ ପ୍ରଥମେ ଆବେଦନ କରିଥିଲେ । ୨୦୧୨ ମସିହାରେ ମହାବିଦ୍ୟାଳୟ ପକ୍ଷରୁ ୨୦୦୫ ମସିହାରୁ ସ୍ଥାୟୀ ସ୍ୱୀକୃତି ପାଇଁ (ଡବ୍ଲୁପିସି ୨୧୮୪) ମୁତାବକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟାଳୟ ନିର୍ଦ୍ଦେଶ ପରେ ଶିକ୍ଷାନୁଷ୍ଠାନରେ ତଦନ୍ତ କରାଯାଇ ଏହା ଯୋଗ୍ୟ ନୁହେଁ ବୋଲି ସେତେବେଳେ ତଦନ୍ତକାରୀ ଅଧିକାରୀ ତଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନର୍ଦ୍ଦେଶକ ଉଚ୍ଚଶିକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶକ ଡଃ ବିଶ୍ୱନାଥ ଧଳ ଏକ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୫ରେ ଏହି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ସ୍ୱୀକୃତି ପ୍ରଦାନ କରି ଦିଆଯାଇଥିଲା । ଯାହାକି ଅନିୟମିତତା ହୋଇଥିବା କଥାକୁ ଅସ୍ୱୀକାର କରାଯାଇ ନପାରେ ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ସଦ୍ୟ ତାଙ୍କ ଦଦନ୍ତରେ ଦର୍ଶାଇଛନ୍ତି । ତେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ନହେଲେ ରାଜଧାନୀରେ ବିକ୍ଷୋଭ ଆନ୍ଦୋଳନ କରାଯିବ ବୋଲି ବରି ସ୍ୱାଭିମାନ ମଞ୍ଚ, ରାଜଧାନୀ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି ବୋଲି ମଞ୍ଚର ସମ୍ପାଦକ ଅନିଲ କୁମାର ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ