ସଙ୍କଟରେ ଭାରତର ଅର୍ଥନୀତି : ୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କରୋନା ମହାମାରୀ ଭାରତର ଅର୍ଥନୀତିକୁ ଦୋହଲାଇ ଦେଇଛି । ତେଣୁ ଏହି ବର୍ଷ ଅଧିକ ଋଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବଜେଟ୍ ଘୋଷଣା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭.୮ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଥିଲେ। ମାତ୍ର କରୋନା ମହାମାରୀ ରୋଗର ଭୟାବହତା ପରେ ଏବେ ୧୨ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେହେତୁ ସରକାର ଅଧିକ ଋଣ କରବାକୁ ଚାହୁଛନ୍ତି ତେଣୁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟରେ ନିଶ୍ଚିତ ରୂପେ ପରିବର୍ତ୍ତନ କରିବାକୁ ହେବ। ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୫ ପ୍ରତିଶତ ଭିତରେ ରଖିବା ଲାଗି ସରକାର ବଜେଟ୍ରେ ଘୋଷଣା କରିଛନ୍ତି। ଅଧିକ ଋଣ ପାଇଁ ସେହି ଲକ୍ଷ୍ୟକୁ ବଢ଼ାଇବାକୁ ପଡ଼ିବ। ୨୦୧୯-୨୦ରେ ସରକାର ୭.୧ ଲକ୍ଷ କୋଟି ଟଙ୍କାର ଋଣ କରିଥିଲେ।
ଟୁଇଟ୍ରେ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛନ୍ତି। ପରିବର୍ତ୍ତିତ ଯୋଜନା ଅନୁସାରେ, ବର୍ଷର ଅନ୍ୟ ମାସଗୁଡ଼ିକରେ ଗିଲ୍ଟ ଜରିଆରେ ସରକାର ବଜାରରୁ ୬ ଲକ୍ଷ କୋଟି ଟଙ୍କା ଋଣ କରିବେ। ମେ’ ୧୧ ପରଠାରୁ ପ୍ରତି ସପ୍ତାହରେ ୩୦ ହଜାର କୋଟି ଟଙ୍କାର ନିଲାମ ହେବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି। ଦୀର୍ଘ ଆଠ ସପ୍ତାହ ଧରି ଲକ୍ଡାଉନ୍ରେ ଥିବା ଭାରତରେ ବିପୁଳ ଅର୍ଥନୈତିକ କ୍ଷତି ହେଲାଣି। ଗତ ମାର୍ଚ୍ଚରେ ଅର୍ଥନୈତିକ ବ୍ୟାପାର ସଚିବ କହିଥିଲେ ଯେ କରୋନା ସ୍ଥିତିର ମୁକାବିଲା ଲାଗି ସରକାର ଏପ୍ରିଲ୍-ସେପ୍ଟେମ୍ବର ଅବଧିରେ ଅଧିକ ଋଣ କରିବା ଉପରେ ବିଚାର କରୁଛନ୍ତି। ଶିଳ୍ପ ଜଗତକୁ ପୁଣି ସକ୍ରିୟ କରିବା ଲାଗି ଯାହା ଦରକାର ତାହା କରିବାକୁ ସରକାର ସଂକଳ୍ପ ନେଇଛନ୍ତି। କେବଳ ବଜାରରୁ ନୁହେଁ ଦରକାର ପଡ଼ିଲେ ବିଶ୍ବ ସ୍ତରୀୟ ଏଜେନ୍ସିଗୁଡ଼ିକ ଠାରୁ ପାଣ୍ଠି ଅଣାଯାଇପାରେ ବୋଲି ସେ ତାଙ୍କ ସୂଚନାରୁ ସ୍ପଷ୍ଟ କରିଛନ୍ତି ।


