ସଙ୍ଗରୋଧ ଅବଧି ପରେ ପ୍ରବାସୀଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ, (ଓ୍ବାଇଏନଏସ):ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ବିତାଇ ସାରି ଗ୍ରାମକୁ ଫେରି ଘରେ ପୃଥକବାସରେ ଥିବା ଜଣେ ସୁରତ ଫେରନ୍ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ମୃତ ପ୍ରବାସୀ ଜଣକ ହେଲେ ହିଞ୍ଜିଳି ବ୍ଳକ ପୁଟିଆ ପଦର ପଞ୍ଚାୟତ ତଥା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ବାଳକୃଷ୍ଣ ପୁର ଗାଁର ଉଦୟ ରାଉତଙ୍କ ପୁଅ ଅରୁଣ (୩୩)।ସୂଚନା ପ୍ରକାରେ ଚଳିତ ମେ ମାସ ୩ ତାରିଖରେ ସୁରତ ରୁ ବସ ଯୋଗେ ଓଡିଶାକୁ ଫେରି ଖଲ୍ଲିକୋଟ ବ୍ଲକ ଚିକିଲି ସଙ୍ଗରୋଧ କେନ୍ଦ୍ରରେ ୨୧ଦିନ ରହି ୨୪ତାରିଖରେ ଅରୁଣ ନିଜ ଗ୍ରାମ ବାଳକୃଷ୍ଣ ପୁର ଫେରିଥିଲେ।ପରେ କୋଭିଡ ନିୟମ ଅନୁଯାୟୀ ଅବଶିଷ୍ଟ ୭ଦିନ ହୋମ କ୍ୱାରେଣ୍ଟାଇନ ରେ ପୃଥକ ବାସରେ ରହିଥିଲେ।ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଅଚେତ ଅବସ୍ଥାରେ ପରିବାର ଲୋକେ ଅରୁଣଙ୍କୁ ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରିଛି।ଏନେଇ ପୁରୁଷୋତ୍ତମ ପୁର ଥାନା କେଶ ନଂ ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।ଘଟଣାକୁ ନେଇ ଗ୍ରାମରେ ଶୋକକୁଳ ପରିସ୍ଥିତି ଦେଖାଦେଇଛି।ମୃତକର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।