ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ ଜଗିବ ସିସି କ୍ୟାମେରା

ହିଞ୍ଜିଳିକାଟୁ,(ୱାଇଏନଏସ):ସଙ୍ଗରୋଧ କେନ୍ଦ୍ରରେ ଏଣିକି ଆଉ ଅମାନିଆ ମାନେ ବିଶୃଙ୍ଖଳା ସୃଷ୍ଟି କରିପାରିବେ ନାହିଁ ।ଏହାକୁ ନିୟନ୍ତ୍ରଣ କରିବା ସକାଶେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା କିଛି ଅମାନିଆଙ୍କ ସମସ୍ତ ପ୍ରକାର ଗତିବିଧି ସିସି କ୍ୟାମେରାରେ କଏଦ୍ ହୋଇ ରହିବ । ଏଥି ପାଇଁ ପୌର ପ୍ରଶାସନ ପକ୍ଷରୁ ବୁଧବାର କାର୍ଯ୍ୟାରମ୍ଭ କରାଯାଇଛି । ନିଜକୁ, ପରିବାର ସମେତ ଗ୍ରାମବାସୀଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏବଂ ଓଡ଼ିଶା ଫେରନ୍ତା ପ୍ରବାସୀ ମାନଙ୍କ ସକାଶେ ସରକାରଙ୍କ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର କରାଯିବା ସହିତ କେନ୍ଦ୍ର ମଧ୍ୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । ଏଥିସକାଶେ ପ୍ରଶାସନିକ ଅଧିକାରୀ ବୃନ୍ଦ ତନାଘନା ଚଳାଇଥିଲେ । ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ନିୟୋଜିତ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନୱାଡ଼ି, ଆଶା, ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ବହୁ ପ୍ରଶାସନିକ କର୍ମଚାରୀ ନିଜ ନିଜର ଦାୟିତ୍ୱ ସମ୍ପାଦନା କରି ଆସୁଛନ୍ତି । ସରକାରଙ୍କନିୟମ ପ୍ରକାରେ ଅନ୍ତେବାସୀଙ୍କ ସେବାରେ ରହିଲେ କେନ୍ଦ୍ର ତତ୍ୱାବଧାରକ । ତଥାପି କିଛି ଅମାନିଆ ଅନ୍ତେବାସୀ ଆରମ୍ଭ କରିଛନ୍ତି ବିଶୃଙ୍ଖଳା । ସେମାନଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ମୁଣ୍ଡବ୍ୟଥାର କାରଣ ପାଲଟିଲା । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସରକାର ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ଅବଧି ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତର ରହିଥିବା ବେଳେ ସାମାନ୍ୟ କିଛି କୋହଳ କରାଯାଇଛି । ଫଳରେ ବାହାର ରାଜ୍ୟରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ରହିଥିବା ପ୍ରବାସୀ ଓଡ଼ିଆ ମାନେ ଗତ କିଛି ଦିନ ଧରି ନିଜନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ଭିଟାମାଟିରେ ପଂହଚିବା ପରେ ଘରକୁ ନଯାଈ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହିବା ସକାଶେ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ କିଛି ଅମାନିଆ ପ୍ରବାସୀ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ବହୁ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବାର ନଜରକୁ ଆସିଛି । ବହୁ ସମୟରେ ପ୍ରବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ଫୋପାଡ଼ୁଥିବା ବେଳେ କିଛି କେନ୍ଦ୍ରରେ ସର୍ମ୍ପକୀୟ ମାନେ ସଙ୍ଗରୋଧ କେନ୍ଦ୍ର ନିକଟକୁ ଯାଇ ପ୍ରବାସୀ ମାନଙ୍କ ସହ କଥାବାର୍ତା କରିବା ସହ ଖାଦ୍ୟ ସାମଗ୍ରୀ ଏବଂ ପାନ, ବିଡ଼ି, ସିଗାରେଟ ଓ ଗୁଟଖା ଦେଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି । ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ରରେ ପୁଲିସ ପ୍ରହରା ଦେବା ସମ୍ଭବପର ହୋଇନଥିବାରୁ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳରେ ଆୟୋଜିତ ୧୨ଟି ସଙ୍ଗରୋଧ କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ସିସି କ୍ୟାମେରା ଜରିଆରେ ବିଶୃଙ୍ଖଲାକାରୀ ପ୍ରବାସୀ ମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ