ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧ ମୃତ୍ୟୁ ଘଟଣା ସହାୟତା ପାଇଁ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଅସୁସ୍ଥ ବୃଦ୍ଧଙ୍କ ଭୁବନେଶ୍ୱରରେ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ମୃତ ଦେହକୁ ସନ୍ଧ୍ୟାରେ ତୁମୁଡ଼ିବନ୍ଧ ସ୍ଥିତ ମାଲିପଡ଼ାକୁ ଅଣାଯାଇଛି । ମୃତଦେହ ପହଞ୍ଚିବା ପରେ ତୁମୁଡ଼ିବନ୍ଧ ଗ୍ରାମବାସୀ ଏକତ୍ରିତ ହୋଇ ଚିକିତ୍ସାରେ ଅବହେଳା ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ସହ ପରିବାର ପକ୍ଷରୁ ଏକ ପତ୍ର ମାଧ୍ୟମରେ ଅନୁକମ୍ପାମୂଳକ ସହାୟତା ରାଶି ୫୦ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦିଆଯାଇଛି । ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନଙ୍କୁ କ୍ୱାରାଣ୍ଟାଇନ ଘରକୁ ଛଡ଼ା ଯାଇଥିଲା । ସୂଚନା ଥାଉକି ପୂର୍ବରୁ ଦୀର୍ଘ ୪ରୁ ୫ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ବୃଦ୍ଧ ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ପରେ ସଙ୍ଗରୋଧ କେନ୍ଦ୍ରରେ ଠିକ୍ ଭାବରେ ଚିକିତ୍ସା କରାଯାଉନଥିବା ଅଭିଯୋଗ କରିଥିଲେ ବୃଦ୍ଧଙ୍କ ସମ୍ପର୍କୀୟମାନେ । ଏହି ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ଶବକୁ ମାଲିପଡାରେ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିବାରୁ ତୁମୁଡ଼ିବନ୍ଧ ବିଡିଓ ଅଗସ୍ତି ପ୍ରଧାନ, ଥାନା ଅଧିକାରୀ ବାବା ଶଙ୍କର ସରାଫ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ।


