ସଙ୍ଗରୋଧ ଗୃହରେ ଜାତୀୟ ସଂଗୀତ ଗାଇଲେ ସୁରାଟ ଫେରନ୍ତା

ପୋଲସରା,(ଅନିଲ କୁମାର ମହାରଣା):କରୋନା ମହାବିପତ୍ତି ପାଇଁ ଲକ ଡାଉନ ସମୟରେ ରାଜ୍ୟ ସରକାର ବାହାର ରାଜ୍ୟରୁ ଓଡିଆମାନେ ଯେପରି ସୁବିଧାରେ ଫେରି ସଙ୍ଗରୋଧ ରହିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଥିବା ବେଳେ କେତେକ ଅମାନିଆ ସୁରାଟ ଫେରନ୍ତା ବ୍ୟକ୍ତି ଯେଉଁପରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି କେଉଁଠି ଟିକ୍ ଟକ୍ କରୁଛନ୍ତି ତ କେଉଁଠି ଖାଇବାର ଅବ୍ୟବସ୍ଥାର ଆଳ ଦେଖାଇ ବିଭାଗୀୟ ଅଧିକାରୀଙ୍କୁ ନାକେଦମ୍ କରୁଛନ୍ତି, ଆଉ କେଉଁଠି ମିଥ୍ୟା ଅଭିଯୋଗ ଆଣି ଗେଟ ଭାଙ୍ଗି ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ଗଞ୍ଜାମ ବାସୀଙ୍କ ଆସ୍ଥା ହରାଇଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିବା ୧୧୫ ରୁ ଉର୍ଦ୍ଧ୍ବ ସୁରାଟ ଫେରନ୍ତା ଓଡ଼ିଆ ଭାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କଳମ୍ବ ଗ୍ରାମର ପୁରୁଷୋତ୍ତମ ହାଇ ସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀ ଓଡ଼ିଆମାନେ ଦେଶର ଏହି ସଙ୍କଟ ସମୟରେ ପ୍ରତିଦିନ ଜାତୀୟ ସଂଗୀତ ଗାନ କରିବା ସହ ସାମାଜିକ ଦୂରତ୍ବକୁ ବଜାୟ ରଖି ଯୋଗ ଓ ପ୍ରାଣାୟମ୍ କରୁଛନ୍ତି । ଗତ ୩ ଦିନ ପୂର୍ବରୁ ସୁରତ ସହରରୁ କଳମ୍ବ ପଞ୍ଚାୟତକୁ ବସ୍ ଯୋଗେ ଆସି ପୁରୁଷୋତ୍ତମ ହାଇ ସ୍କୁଲର ଏହି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ ରହିବା ପ୍ରତିଜ୍ଞା ବଦ୍ଧ ଥିବା ସହ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ସମସ୍ତ ନିତି ନିୟମକୁ ମାନି ସମଗ୍ର ଓଡ଼ିଶାରେ ଆଦର୍ଶ ସୃଷ୍ଟି କରିଛନ୍ତି। କେତେକ ସଙ୍ଗରୋଧ ଗୃହରେ ଯେଉଁ ପ୍ରବାସୀ ଓଡ଼ିଆ ଭାଇମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି ସେମାନେ କଳମ୍ବ ହାଇ ସ୍କୁଲରେ ଥିବା ପ୍ରବାସୀ ଓଡ଼ିଆ ଭାଇମାନଙ୍କ ଆଦର୍ଶ ଅନୁସରଣ କରି ଶାନ୍ତି ଶୃଙ୍ଖଳା ସହ ସଙ୍ଗରୋଧ କେନ୍ଦ୍ରରେ ସରକାରଙ୍କ ନିୟମମାନି ରହିବେ ବୋଲି ଆଶା କରାଯାଉଛି । ଏହି ସଙ୍ଗରୋଧ କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ , ସମିତି ସଭ୍ୟା ସୋଶିତ ସାହୁ, ସୁରେନ୍ଦ୍ର କୁମାର ପ୍ରଧାନ , ଯୁବ ସମାଜସେବୀ ପ୍ରସାଦ ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଦାୟିତ୍ବ ନେଇ ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦାୟିତ୍ୱବାନ ଥିବା ଦେଖାଦେଇଛି। ଏହି ଆଦର୍ଶକୁ ସମସ୍ତ ସଙ୍ଗରୋଧ କେନ୍ଦ୍ର ଅନୁସରଣ କଲେ କରୋନା ଯୁଦ୍ଧରେ ଆମେ ବିଜୟୀ ହେବାସହ ଗଞ୍ଜାମ ଜିଲ୍ଲା ତାର ପୂର୍ବ ପ୍ରତିଷ୍ଠା ଫେରି ପାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ