ସଚେତନ ନାଗରିକ ମଂଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ନିଜର ଜୀବନ ବିପନ୍ନ କରି ନଦୀରେ ବୁଡିଯାଉଥିବା ୪ଜଣ ପିଲାଙ୍କ ଜୀବନ ବଞ୍ଚାଇଥିବା ମହିୟସୀ ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକର ବଙ୍ଗାଳପୁର ଗ୍ରାମପଞ୍ଚାୟତର ଘୋଡାଦଣ୍ଡା ଗ୍ରାମର ୫ଜଣ ବାଳକ ହୋଲି ଖେଳିସାରି ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ । କୈାଣସି କାରଣରୁ ୫ଜଣଯାକ ହାତ ଧରାଧରି ହୋଇଥିବା ବେଳେ ଏକ ଗଣ୍ଡରେ ବୁଡିଯାଇଥିଲେ । ସେହି ସମୟରେ ସାହସୀ ମହିଳା ମମତା ମଳିକ ତାହା ଦେଖି ବେକେ ପାଣିରେ ପଶି ନିଜ ପିନ୍ଧା ଲୁଗାକୁ ଖୋଲିଦେଇ ବୁଡିଯାଉଥିବା ପିଲାଙ୍କ ପାଖକୁ ସେହି ଲୁଗାକୁ ପକାଇଥିଲେ । ସେହି ଲୁଗାକୁ ଭିଡି ଧରି ୪ଜଣ ବାଳକ ଉଦ୍ଧାର ହୋଇଥିବା ବେଳେ ତ୍ରିଲୋଚନ ସାହୁ ନାମକ ବାଳକଟି ବୁଡିଯାଇ ମୃତ୍ୟୁ ବରଣ କରିଥିଲା । ଏହା ଦ୍ୱାରା ମହିଳା ଜଣଙ୍କ ୪ଜଣ ବାଳକଙ୍କ ଜୀବନ ବଞ୍ଚାଇ ପାରିଥିବା ବେଳେ ଜଣେ ବାଳକକୁ ବଞ୍ଚାଇବାରେ ସମର୍ଥ ହୋଇପାରିନଥିଲେ । ଏଭଳି ସାହସୀକତା ପ୍ରଦର୍ଶନ କରି ୪ଜଣ ବାଳକଙ୍କ ଜୀବନ ବଞ୍ଚାଇଥିବା ସେହି ମହିୟସୀ ମହିଳା ମମତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଗଲେ ତାହା କେନ୍ଦ୍ରାପଡା ଜିଲ୍ଲା, ଓଡିଶା ରାଜ୍ୟ ତଥା ଭାରତବର୍ଷର ମହିଳାମାନଙ୍କୁ ଏକ ପ୍ରେରଣା ପ୍ରଦାନ କରିବ ବୋଲି ଆବାହକ ଅଶୋକ କୁମାର ତ୍ରିପାଠୀ, ଗୁଲନଗର ସରପଞ୍ଚ ପିତବାସ ବେହେରା, ପ୍ରଦୀପ୍ତ କୁମାର ସାମଲ, ଇତିଶ୍ରୀ ପ୍ରିୟଦର୍ଶିନୀ ଭଦ୍ର, ମନୋଜ କୁମାର ପରିଡା, ପ୍ରଭାକର ଲେଙ୍କା,ମାଗୁଣି ଚରଣ ବେହେରା ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରି ନିବେଦନ କରିଛନ୍ତି ।


