ସଜାଇ ବସିଛି ନରେନ୍ଦ୍ର ପୋଖରୀ
ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ।
ନୀଳାଚଳ ନାଥ ଲୀଳା ଲଗାଇଛ
ନୀଳ କନ୍ଦରରେ ରହି ହରି
ମାନବୀୟଲୀଳା କର ଚକାଡୋଳା
ବାରମାସେ ତେର ଯାତ କରି ।।
ଭକତ ସଙ୍ଗରେ ବୁଲିଲ ରଙ୍ଗରେ
ଫଗୁଣେ ଖେଳିଲ ଫଗୁ ଖେଳ
ଆସିଲା ବୈଶାଖ ଲଭିବାକୁ ସୁଖ
ଅକ୍ଷି ତୃତୀୟାରେ କଲ ମେଳ ।।
ତୁମ ଆଜ୍ଞା ବଳେ ଚଳନ୍ତି ପ୍ରତିମା
ମଦନମୋହନ ରାମକୃଷ୍ଣ
ଭୂଦେବୀ ଶ୍ରୀଦେବୀ ପଞ୍ଚ ମହାଦେବ
ବିମାନେ ହୋଇଲେ ଉପବିଷ୍ଟ ।।
ସର୍ଵ ଦେବାଦେବୀ ଚଳିଲେ ବିମାନେ
ଘଣ୍ଟ ଘଣ୍ଟୁଆରୀ ସାଥେ ସାଥେ
ବଡ଼ଦାଣ୍ଡ ମୁଣ୍ଡ ଉଛୁଳି ପଡ଼ିଲା
ହରିବୋଲ ଡାକ ଶୁଭେ ପଥେ ।।
ସଜାଇ ବସିଛି ନରେନ୍ଦ୍ର ପୋଖରୀ
ଆସିବେ ଠାକୁର ତା’ର ଦେଶ
ବିବିଧ ସୁଗନ୍ଧ ଶ୍ରୀଅଙ୍ଗେ ନାଇବ
କରିବ ସଭିଙ୍କୁ ସେହି ବେଶ ।।
ଭାବର ଠାକୁର ଭାବକୁ ଜାଣିଣ
ଆସିଲେ ସହଳ ମେଳ ହୋଇ
ପୂଜିଲା ନରେନ୍ଦ୍ର କର୍ପୂର ଚନ୍ଦନେ
ସଭିଙ୍କ ପାଦକୁ ଦେଲା ଧୋଇ ।।
ନନ୍ଦା ଭଦ୍ରା ଚାପେ ବସାଇ ସରସେ
କହିଲା ଠାକୁର ଧନ୍ୟ ହେଲି
ବାହାର ଚନ୍ଦନେ ସଦା ଆସୁଥାଅ
ଯିବ ନାହିଁ ପ୍ରଭୁ ତୁମେ ଭୁଲି ।।
ଇଚ୍ଛାମୟ ଇଚ୍ଛା କରିଲେ ସାକାର
ଖେଳିଲେ ସାଙ୍ଗରେ ଚାପ ସେତ
ଏକବିଂଶ ରାତି ଚନ୍ଦନ ଚର୍ଚ୍ଚିତ
କୁହେ ହେମନ୍ତ ଭଉଁରୀ ଯାତ ।।
ଆସିକା ( ଗଞ୍ଜାମ)


