ସଡକ ଦୁର୍ଘଟଣାରେ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା-ତୋଟାଗୁମୁଡା ଗ୍ରାମର ମୁଖ୍ୟରାସ୍ତାରେ ସଡକ ଦୁର୍ଘଟଣା ଘଟି ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ, ବି.ରାଙ୍ଗାରାଓ (୫୮) ତାଟିପେଟି ଗ୍ରାମରେ ଥିବା ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟକରୁଥିଲେ । ସେ ଦୈନନ୍ଦିନ ଭଳି ନିଜ କାର୍ଯ୍ୟାଳୟ ଦାୟିତ୍ୱ ସାରି ଶୁକ୍ରବାର ସନ୍ଧ୍ୟାସମେରେ ପାରଳାଖେମୁଣ୍ଡି ସହରରେ ଥିବା ତାଙ୍କ ବାସଭବନକୁ ସ୍କୁଟି ଯୋଗେ ଫେରୁଥିଲେ । ତେବେ ମାଛମରା-ତୋଟାଗୁମୁଡା ଗ୍ରାମ ମଧ୍ୟରେ ମୋହନା-ପାରଳାଖେମୁଣ୍ଡି ଯାତାୟତ କରୁଥିବା ଏକ ଘରୋଇ ବସ୍ ସହ କୌଣସି କାରଣରୁ ଧକ୍କା ଘଟିଥିଲା । ଫଳରେ ପୋଷ୍ଟମାଷ୍ଟରଙ୍କ ଘଟଣାସ୍ଥଳରେହିଁ ମୃତ୍ୟୁ ଘଟିଥିଲା । ଖବରପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୋଲିସ କର୍ମଚାରୀ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏନେଇ ଗୁରାଣ୍ଡି ଥାନାରେ ୨୪/୨୨ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।