ସଡ଼କ ସୁରକ୍ଷାର ବାର୍ତ୍ତା ନେଇ ‘ବାଲେଶ୍ୱର ରୟାଲ୍ସ’ର କୋରାପୁଟ ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ସଚେତନତା ସୃଷ୍ଟି ପାଇ କୋରାପୁଟର ଦେଓମାଳି ଅଭିମୁଖ୍ୟେ ଶୁକ୍ରବାର ଯାତ୍ରା ଆରମ୍ଭ କରିଛି ବାଲେଶ୍ୱରର ରୟାଲ୍ସ କ୍ଲବ । ସ୍ଥାନୀୟ ଆରଟିଓ ଅଫିସ ପରିସରରୁ କ୍ଲବର ୨୦ ସଦସ୍ୟଙ୍କ ବୁଲେଟ ମୋଟରସାଇକେଲ ଯାତ୍ରା ଆରମ୍ଭ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ବୁଲେଟ ଯାତ୍ରାକୁ ଶୁଭାରମ୍ଭ କରିଥିଲେ । ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ଦିଗରେ ଏହି ଯାତ୍ରା ସାଧାରଣରେ ସଚେତନତା ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଯାତ୍ରା ଶୁଭାରମ୍ଭ ବେଳେ ସେଠାରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଓ ଏମଭିଆଇ ସୋହା ହେମ୍ବ୍ର୍ରମ ଉପସ୍ଥିତ ରହି ରୟାଲ୍ସ କ୍ଲବର ସଫଳ ଯାତ୍ରା କାମନା କରିଥିଲେ । କ୍ଳବର ସଭାପତି ସବୁଜାହାନ ଓ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ନେତୃତ୍ୱରେ ବାହାରିଥିବା ଏହି ବୁଲେଟ ଯାତ୍ରା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର, ରାୟଗଡ଼ା, ସିମିଳିଗୁଡ଼ା ଦେଇ କୋରାପୁଟ ଜିଲାର ଦେଓମାଳି ପର୍ଯ୍ୟନ୍ତ ଯିବ । ମୋଟ ୧୬୬୨ କିଲୋମିଟର ରାସ୍ତା ଅତିକ୍ରମ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆସନ୍ତା ୭ ତାରିଖ ସୁଦ୍ଧା ଏହି ବୁଲେଟ ଯାତ୍ରା ପୁଣି ବାଲେଶ୍ୱରରେ ପହଞ୍ଚିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।


