ସଢ଼ା ପଞ୍ଚାୟତରେ ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ, ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ପରେ ପରେ ସଢ଼ା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ ପକ୍ଷରୁ ଏହାର ପ୍ରାଥମିକ ତଦନ୍ତ କରାଯିବା ବେଳେ ଅନେକ ସତ୍ୟତା ମିଳିଥିଲା । କିନ୍ତୁ ଏହାର ପୁନଃ ତଦନ୍ତ ବେଳେ ଏହାକୁ ଦିଗହରା କରିବାକୁ ଉଦ୍ୟମ କରାଯାଉଥିବା ନେଇ ଆଜି କିଛି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପାଇନଥିବା ହିତାଧିକାରୀ ଉପଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ପ୍ରକ୍ରୀୟାକୁ ସ୍ୱଚ୍ଛ ତ୍ୱରାନ୍ନିତ କରିବାପାଇଁ ନିବେଦନ କରିଛନ୍ତି । ଆଜି ମାଳତୀ ସାହୁ, ସୌମ୍ୟ ରଞ୍ଜନ ବେହେରା, ଗଗନ ମଲ୍ଲିକ, ଚୈତନ ହାଁସଦା, ବିକ୍ରମ ମୁର୍ମୁ, ଭାଗବତ ଯେନା, ଖଗେଶ୍ୱର ସାମଲ, ଅଭିମନୁ୍ୟ ଜେନା ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ସେମାନଙ୍କ ଭିତରୁ ମାଳତୀ ସାହୁ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଜୀବୀତ ଥିବାବେଳେ ୨୦୨୦ ଡିସେମ୍ବର ମାସରେ ତାଙ୍କୁ କିପରି ମୃତ ଦର୍ଶାଯାଇ ତାଙ୍କ ଅନୁଦାନ ଟଙ୍କାକୁ ତାଙ୍କ ସ୍ୱାମୀ ଅକ୍ଷୟ ସାହୁଙ୍କୁ ୧୨ ଜାନୁୟାରୀ ୨୦୨୧ରେ ଦିଆଯାଇଛି ବୋଲି ଦର୍ଶାଯାଇଛି । ମାତ୍ର ଅକ୍ଷୟ ଏହି ଟଙ୍କା ନେଇ ନଥିବା ଅଭିଯୋଗ କରିଛନ୍ତି । ସେହିପରି ପଦାରୁଖା ଗ୍ରାମର ବିକ୍ରମ ମୁର୍ମୁଙ୍କ ପୁଅ କୁଅଁର ମୁର୍ମୁ ଗତବର୍ଷ ଡିସେମ୍ବରରେ ମୃତୁ୍ୟବରଣ କରିଥିବାବେଳେ କ୍ରମିକ ନଂ-୪୩ ଓ ୪୪ରେ ଦୁଇ ଦୁଇଥର ମୃତ ଦର୍ଶାଇ ଦୁଇଥର ଅନୁଦାନ ଉଠାଯାଇଛି, କିନ୍ତୁ ଥରୁଟିଏବି ବିକ୍ରମ ଏହି ଟଙ୍କା ପାଇନଥିବା କହିଛନ୍ତି । ସେହିପରି ମଞ୍ଜୁଲତା ବାରିକ ଗତ ତିନିବର୍ଷ ତଳେ ମୃତୁ୍ୟବରଣ କରିଥିବାବେଳେ ସେ ଥରୁଟିଏବି ହରିଶ୍ଚନ୍ଦ୍ର ସହାୟତା ପାଇନାହାନ୍ତି । କିନ୍ତୁ ମଞ୍ଜୁଲତା ଦୁଇ ଦୁଇଥର ମୃତୁ୍ୟବରଣ କରିଥିବା ଦର୍ଶାଇ କ୍ରମିକ ନଂ ୭୭ ଓ ୯୨ ଅନୁସାରେ ଦୁଇଦୁଇଥର ଅନୁଦାନ ଦିଆଯାଇଥିବା ଦର୍ଶାଯାଇଛି । ଏବେ ପୁର୍ବତନ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ ତାଙ୍କ ଘରକୁ ଯାଇ ଅଭିଯୋଗ ନକରିବା ପାଇଁ ଚାପ ପକାଯାଉଥିବା ସେ କହିଛନ୍ତି । ଅଭିଯୋଗକାରୀ ମାନେ ଆଜି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଭେଟି ଏହାର ତୁରନ୍ତ ଏହାର ତଦନ୍ତ ଶେଷ କରାଯାଇ ହରିଶ୍ଚନ୍ଦ୍ର ଯୋଜନା ହଡପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଏହି ପଞ୍ଚାୟତରେ ୬ଜଣ ମୃତକଙ୍କ ନାମରେ ଦୁଇ ଦୁଇଥର ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି । ଅନୁଦାନ ପ୍ରଦାନ ସମୟରେ ଜିଆରଏସ ଅନନ୍ତ ସ୍ୱାଇଁଙ୍କ ମୋବାଇଲ ନମ୍ବର ପକାଯାଇ ୧୧୦ଜଣଙ୍କୁ ସହାୟତା ଦିଆଯାଇଥିବା ଦର୍ଶାଯାଇଥିବାବେଳେ ପିଅନ ବାବୁ ଜେନାଙ୍କ ମୋବାଇଲ ନମ୍ବର ପକାଯାଇ ୧୬ଜଣଙ୍କୁ ସହାୟତା ଦିଆଯାଇଛି ବୋଲି ଦର୍ଶାଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୋବାଇଲ ନମ୍ବର ପକାଯାଇ ୧୨ଜଣ, ଅରୁଣ କୁମାରଙ୍କ ମୋବାଇଲ ନମ୍ବର ପକାଯାଇ ୩୫ଜଣ ଓ ସରପଞ୍ଚଙ୍କ ସ୍ୱାମୀଙ୍କ ମୋବାଇଲ ନମ୍ବର ପକାଯାଇ ୩ଜଣଙ୍କୁ ଅନୁଦାନ ଦିଆଯାଇଥିବା ଦର୍ଶାଯାଇଛି । ଏନେଇ ବ୍ଲକ ପକ୍ଷରୁ ଏକ ପିଇଓ ଶରତ କୁମାର ବେଜ, ଶରତ କୁମାର ସାହୁ, ଉମାକାନ୍ତ ସା, ଅମୁଲ୍ୟ ପହି ପ୍ରମୁଖଙ୍କୁ ନେଇ ଗଠିତ ଏକ ୪ଜଣିଆ ପ୍ରତିନିଧି ଦଳ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ତଦନ୍ତ ବେଳେ ୨୭ଜଣ ହିତାଧିକାରୀ ଅନୁଦାନ ରାଶି ପାଇନଥିବା ଓ ଜୀବୀତ ମାଳତୀ ସାହୁଙ୍କୁ ମୃତ ଦର୍ଶାଯାଇ ଅନୁଦାନ ଉଠାଯାଇଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ